SunstarTV
ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ ବଡ଼ ଦାୟିତ୍ୱ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ମିଳିଲା ନିଯୁକ୍ତି । ପରବର୍ତ୍ତୀ ନିଷ୍ପତ୍ତି ଯାଏ ଭି.ଭି ଯାଦବଙ୍କ ସ୍ଥାନରେ ଶ୍ରୀ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇବେ। ନିଜ ବର୍ତ୍ତମାନର ଦାୟିତ୍ୱ ସହ ଶ୍ରୀ ପାଢ଼ୀ ମନ୍ଦିର ପ୍ରଶାସକ ଭାବେ ଦାୟିତ୍ୱ ସମ୍ଭାଳିବେ ବୋଲି ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଅରବିନ୍ଦ ପାଢୀ ବର୍ତ୍ତମାନ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ରହିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର ।
ସୂଚନା ମୁତାବକ ଅରବିନ୍ଦ ପୂର୍ବରୁ ୨୦୧୪ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ । ଚଳିତବର୍ଷ ରଥଯାତ୍ରାରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଛି । ଚାରିଦ୍ବାର ଖୋଲିବା ପରେ ଶ୍ରୀମନ୍ଦିରରେ ଅଣାୟତ ଭିଡ଼, ରଥଯାତ୍ରା ସମୟରେ ଦଳାଟଚକଟାରେ ଜଣଙ୍କର ମୃତ୍ଯୁ ସହ ଆଡ଼ପ ପହଣ୍ଡି ବେଳେ ଖୋଦ୍ ବଡ଼ଠାକୁର ମୁହଁମାଡ଼ି ପଡ଼ିଯିବା ଚିନ୍ତାର କାରଣ ପାଲଟିଥିଲା। ବ୍ଯବସ୍ଥାରେ ତ୍ରୁଟିକୁ ଲକ୍ଷ୍ଯରେ ରଖି ରାଜ୍ଯ ସରକାର ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ବଦଳାଇଥିବା ଚର୍ଚ୍ଚା ହେଉଛି ।