Sunstar Tv
Dengue Cases: ଚିନ୍ତା ବଢାଉଛି ଡେଙ୍ଗୁ । ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ଷ ଆରମ୍ଭରୁ ଏବେସୁଦ୍ଧା ମୋଟ ୪୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ତେବେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ଆଶ୍ୱସ୍ତିକର ବିଷୟ ହେଉଛି ଯେ, ଡେଙ୍ଗୁ କାରଣରୁ ରାଜ୍ୟରେ ଏବେସୁଦ୍ଧା କାହାର ମୃତ୍ୟୁ ହୋଇନାହିଁ ।
ଅନ୍ୟପଟେ ଏ ବାବଦରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିବା ବେଳେ ପ୍ରତ୍ୟେକ ବିଭାଗ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।
ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, “ଡେଙ୍ଗୁ ଗତ ବର୍ଷ ତୁଳନାରେ ଏଥର କମ ରହିଛି । ବର୍ଷ ଆରମ୍ଭରୁ ବର୍ତ୍ତମାନ ଯାଏ ମୋଟ ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସବୁଠୁ ଅଧିକ ସଂଖ୍ୟା ୧୩୦ ରହିଛି ।
ହେଲେ ରାଜ୍ୟରେ ଡେଙ୍ଗୁରେ କାହାରି ମୃତ୍ୟୁ ହୋଇ ନାହିଁ । ବୁଧବାର ୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ମ୍ୟାଲେରିଆ କେସ ମଧ୍ୟ ଦେଖାଯାଉଛି । କିନ୍ତୁ କାହାରି ମୃତ୍ୟୁ ହୋଇନାହିଁ ।”
ଡେଙ୍ଗୁ ନିରାକରଣ ପାଇଁ ମାର୍ଗଦର୍ଶିକା ଜାରି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆଉମଧ୍ୟ କହିଛନ୍ତି, ” ଡେଙ୍ଗୁ ତଦନ୍ତ ନେଇ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ହୋଇଛି । ପ୍ରତ୍ୟେକ ବିଭାଗ ପାଇଁ ମାର୍ଗ ଦର୍ଶିକା ଜାରି ହୋଇଛି । ଖାସ କରି ସ୍କୁଲ ପିଲାମାନେ ଏବଂ ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ବିଶେଷ ସଚେତନ କରାଯାଇଛି । ଯେଉଁ ପିଲାମାନେ ହଷ୍ଟେଲରେ ରହୁଛନ୍ତି ମଶାରୀ ଟାଙ୍ଗି ଶୋଇବା ପାଇଁ ପରାମର୍ଶ ଦିଆଯାଇଛି । ଏ ବାବଦରେ ତଦାରଖ ମଧ୍ୟ କରିବାକୁ ମଧ୍ୟ ସ୍କୁଲ ଅଧିକାରୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ହଷ୍ଟେଲରେ ପ୍ରତିଦିନ ମଶା ଧୂଆଁ ଦିଆଯିବ। ପିଲାମାନଙ୍କୁ ଡେଙ୍ଗୁ ବାବଦରେ ପ୍ରଧାନ ଶିକ୍ଷକ ସଚେତନ କରାଇବେ । ବିଭିନ୍ନ ମାର୍ଗଦର୍ଶିକା ସବୁ ବିଭାଗ ପାଇଁ ଜାରି ହୋଇଛି ।”
“ଝାଡା ବାନ୍ତି ଋତୁ ପରିବର୍ତ୍ତନ ପାଇଁ ବି ହୁଏ । ମାଥିଲିରେ ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ଉପରେ ନଜର ରହିଛି । ବିଶେଷ କରି ଏହି ଦିନରେ ଖାଦ୍ୟ ଓ ପାଣି ଉପରେ ବିଶେଷ ସଚେତନ ହେବା କଥା । ସବୁ ସ୍ଥାନରେ ପାଣିର ମାନ ମଧ୍ୟ ଯାଞ୍ଚ ହେବା ନେଇ କହିଛନ୍ତି ନୀଳକଣ୍ଠ ମିଶ୍ର ।
ସେହିପରି କଟକ, ଭୁବନେଶ୍ଵର, ଖୋର୍ଦ୍ଧା ଭଳି ଅନେକ ସ୍ଥାନରେ ମଶାଙ୍କ ପ୍ରକୋପ ବୃଦ୍ଧି ପାଉଛି । ଯାହାଦ୍ବାରା ଡେଙ୍ଗୁ, ମେଲେରିଆ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି।
ଏପରିକି କେନ୍ଦ୍ରକୁ ରାଜ୍ୟ ସରକାର ବାରମ୍ବାର ଔଷଧୀୟ ମଶାରୀ ଯୋଗାଇ ଦେବା ପାଇଁ ଚିଠି ଲେଖିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧୀୟ ମଶାରୀ ରାଜ୍ୟରେ ପହଞ୍ଚିପାରିଲା ନାହିଁ।
ତେବେ ବର୍ଷା ଦିନ ପୂର୍ବରୁ ସମସ୍ତଙ୍କୁ ଔଷଧୀୟ ମଶାରୀ ବାଣ୍ଟିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିଲା । ଆଗାମୀ ଡେଙ୍ଗୁ ମୁକ୍ତ ରାଜ୍ୟ ଗଠନ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକକଳା ମାଧ୍ୟମରେ ସତେଚନତା କାର୍ଯ୍ୟକ୍ରମ କରାଯାଇ ଲୋକମାନଙ୍କୁ ଡେଙ୍ଗୁ ମେଲେରିଆ ବିଷୟରେ ସଚେତନ କରାଯାଉଛି।