Sunstar TV :
ପୁଣିଥରେ ଅଡୁଆଡେ ଛନ୍ଦି ହୋଇଯାଇଛନ୍ତି ଦିଲ୍ଲୀ ସରକାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ମନୀଷଙ୍କ ଅଡୁଆ ଥମିବାରେ ନାଁ ନେଉନି । ତେବେ ଏତେ ବର୍ଷ ଅପେକ୍ଷା ପରେ ଆଜି ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବାର ଥିଲା । ହେଲେ ଏହି ମାମଲାର ବିଚାର କରୁଥିବା ବିଚାରପତି ଖୋଦ୍ ଏହି ମାମଲାରୁ ଓହରି ଯାଇଛନ୍ତି । ସିସୋଦିଆ ପାଖାପାଖି ୧୬ ମାସ ହେବ ଜେଲରେ ରହିଛନ୍ତି । ଜାମିନ ପାଇଁ ବାରମ୍ବାର କୋର୍ଟରେ ଆବଦନ ମଧ୍ୟ କରି ଚାଲିଛନ୍ତି । ହେଲେ ଆଜି ସେ ଜାମିନ ପାଇପାରନ୍ତି ବୋଲି ଆଶା କରାଯାଉଥିବା ବେଳେ ଏହି ମାମଲାର ବିଚାର କରୁଥିବା ସୁପ୍ରିମକୋର୍ଟର ବିଚାରପତି ନିଜକୁ ଏହି ମାମଲାରୁ ଅଲଗା କରିନେଇଛନ୍ତି ।
ସୂଚନାନୁସାରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ୍ ନେତା ମନୀଷ ସିସୋଦିଆଙ୍କୁ ମିଳିପାରୁନି ଆଶ୍ବସ୍ତି । ରାଉଜ୍ ଆଭେନ୍ୟୁ କୋର୍ଟରୁ ଆଜି ମଧ୍ୟ ମିଳିଲାନି ବେଲ୍ । ବୁଧବାର ସିବିଆଇ ନ୍ୟାୟିକ ହେପାଜତ ଅବଧିର ଶେଷ ଦିନ ରହିଥିବା ବେଳେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ସିସୋଦିଆ । ସେ ଭର୍ଚ୍ଚୁଆଲରେ କୋର୍ଟରେ ହାଜର ହୋଇଥିଲେ । ପ୍ରକାଶ ଥାଉ କି, ୨୦୨୩ ଫେବୃଆରୀ ୨୬ରେ ଗିରଫ ହୋଇଥିଲେ ସିସୋଦିଆ । ପ୍ରଥମେ ସିବିଆଇ ଗିରଫ କରିଥିଲା । ଏହା ପରେ ତାଙ୍କୁ ଜେଲ ଭିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଗିରଫ କରିଥିଲା । ସେବେ ଠାରୁ ସେ ତିହାର ଜେଲରେ ରହିଛନ୍ତି । ସିସୋଦିଆ ଫେବୃଆରୀ ୨୦୨୩ରେ ଦିଲ୍ଲୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ଚଳିତ ଲୋକସଭା ନିର୍ବାଚନରେ ପ୍ରଚାର କାର୍ଯ୍ୟରେ ସାମିଲ ହେବାକୁ ନିକଟରେ ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ଆବେଦନ କରିଥିଲେ ସିସୋଦିଆ ।