SunstarTV
ରାଗିବେ ମହାଲକ୍ଷ୍ମୀ । ଭାଙ୍ଗିବେ ରଥ । କାହିଁ ଅନାଦି କାଳରୁ ମହାପ୍ରଭୁଙ୍କ ଅନେକ ଯାନିଯାତ୍ରା ପାଳନ ହେଇ ଆସୁଛି । ଆଉ ଏହା ଭିତରେ ଗୋଟିଏ ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁ ନିଜ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡି ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି । ଲକ୍ଷ୍ମୀଙ୍କୁ ସାଙ୍ଗରେ ନ ଆଣିଥିବାରୁ ଅଭିମାନ କରିଛନ୍ତି ମା ଲକ୍ଷ୍ମୀ । ତେଣୁ କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆସନ୍ତି ଶ୍ରୀଦେବୀ। ହେଲେ ୯ ଦିନର ଯାତ୍ରା ନ ସରିବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି କୁହନ୍ତି। ଏଥିରେ ରାଗିଯାଇ ଫେରିବା ବେଳେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗି ଦେଇଯାନ୍ତି ଲକ୍ଷ୍ମୀ ସାଆନ୍ତାଣୀ। ଏହି ପରମ୍ପରାକୁ ହେରାପଞ୍ଚମୀ କୁହାଯାଏ।
ଗୁରୁବାର ପାଳିତ ହେବ ଏହି ନୀତି। ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଭୋର ୪ଟାରେ ଦ୍ୱାରଫିଟା ଯାଇ ୫ଟା ସୁଦ୍ଧା ମଙ୍ଗଳ ଆଳତି ବଢ଼ିବ। ମଇଲମ, ତଡ଼ପଲାଗି ନୀତି ପରେ ସକାଳ ୬ଟାରେ ଅବକାଶ ନୀତି ସମ୍ପନ୍ନ ହେବ। ସକାଳ ସାଢେ ୬ଟାରୁ ସାଢେ ୭ଟା ଘଣ୍ଟାଏ ସାହାଣମେଲା ଦର୍ଶନ ରହିଛି।
ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ରଥ ନିକଟରେ ନୀତି ସାରି ଶ୍ରୀଦେବୀ ରାତି ୯ଟା ୩୦ରେ ଜଗମୋହନକୁ ବିଜେ କରିବେ। ଏହାପରେ ଶ୍ରୀଦେବୀଙ୍କୁ ଆଜ୍ଞାମାଳ ଲାଗି ହେବା ପରେ ସନ୍ଧ୍ୟାଧୂପ ଟେରା ପଡ଼ିବ। ରାତି ୯ଟା ୫୦ ସୁଦ୍ଧା ସନ୍ଧ୍ୟାଧୂପ ବଢ଼ିବ। ପରେ ମଇଲମ, ଚନ୍ଦନଲାଗି ଓ ବଡ଼ସିଂହାର ହୋଇ ରାତ୍ର ୧ଟା ସୁଦ୍ଧା ପହୁଡ଼ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି।