Sunstar Tv
PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମସ୍କୋରେ ‘ଅଜ୍ଞାତ ସୈନିକଙ୍କ ସମାଧି’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
‘ଅଜ୍ଞାତ ସୈନିକଙ୍କ ସମାଧି’ ମସ୍କୋର କ୍ରେମଲିନ୍ କାନ୍ଥରେ ଅବସ୍ଥିତ ଏକ ଯୁଦ୍ଧ ସ୍ମାରକ ଅଟେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରାଣ ହରାଇଥିବା ସୋଭିଏତ୍ ସୈନିକମାନଙ୍କ ପାଇଁ ଏହା ଉତ୍ସର୍ଗୀକୃତ।
ସେହିପରି ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ ସ୍ଥାନୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏକ ଭବ୍ୟ ସମାରୋହରେ ଋଷର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରୁ ଦି ପ୍ରେଷ୍ଟେଲ’ ସମ୍ମାନ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ନିଜେ ରାଷ୍ଟ୍ରପତି ପୁଟିନ ମୋଦିଙ୍କୁ ସମ୍ମାନିତ କରିବା ସହ ତାଙ୍କ ସୁସ୍ଥ ଜୀବନର କାମନା କରିଛନ୍ତି । ପ୍ରଧାନନ୍ତ୍ରୀ ମୋଦି ମଧ୍ୟ ଆତିଥ୍ୟତା ଓ ଏହି ସମ୍ମାନ ପାଇଁ ପୁଟିନଙ୍କୁ ଧନ୍ୟବାଦ ଦେଇଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ ଗ୍ରହଣ କରିସାରିଥିବା ବେଳେ ଏହି କ୍ରମରେ ଋଷର ନାମ ମଧ୍ୟ ଯୋଡି ହୋଇଛି ।
ଏହାପୂର୍ବରୁ ଋଷ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଆଜି କ୍ରେମଲିନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଏହି ଶିଖର ଆଲୋଚନାରେ ଦୁଇ ଦେଶର ଦ୍ବିପାକ୍ଷିକ ପ୍ରସଙ୍ଗ ସହ ବୈଶ୍ବିକ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା । ଏହା ମଧ୍ୟରେ ଋଷ-ୟୁକ୍ରେନ ଯୁଦ୍ଧ ଓ ଏହାର ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା ।
ପୂର୍ବ ପରି ପ୍ରଧାନମନ୍ତ୍ରୀ ମୋଦି ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଦ୍ବନ୍ଦ୍ବର ସମାଧାନ ଯୁଦ୍ଧ ନୁହେଁ ବରଂ କୂଟନୈତିକ ଆଲୋଚନା ବୋଲି କହିଛନ୍ତି । ଆତଙ୍କବାଦ ବିରୋଧରେ ବିଶ୍ବ ସମୁଦାୟ ଏକାଠି ଲଢିବାର ସମୟ ଆସିଛି ବୋଲି ମୋଦି କହିଛନ୍ତି । କୌଣସି ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସର୍ବଦା ପ୍ରସ୍ତୁତ ବୋଲି ମଧ୍ୟ କହି ମୋଦି ନୂଆଦିଲ୍ଲୀର ଆଭିମୁଖ୍ୟକୁ ପୁଣି ଥରେ ସ୍ପଷ୍ଟ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦର ପରିଣାମ କେତେ ଭୟଙ୍କର ସେକଥା ଭାରତ ସ୍ପଷ୍ଟ ଭାବେ ଅନୁଭବ କରିଛି । ଆତଙ୍କବାଦର ପୀଡାକୁ ଭାରତ ପ୍ରତ୍ୟକ୍ଷ ଭାବେ ସହ୍ୟ କରିଛି । ଗତ ୪୦-୫୦ ବର୍ଷ ଧରି ଭାରତ ଆତଙ୍କବାଦର ସମ୍ମୁଖୀନ ହୋଇଆସୁଛି । ଆତଙ୍କବାଦ କେତେ ଭୟଙ୍କର ଏବଂ ଘୃଣ୍ୟ, ଆମେ ଏହାର ସମ୍ମୁଖୀନ ହୋଇଛୁ ବୋଲି ମୋଦି କହିଛନ୍ତି ।
ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦି ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ 15ଟି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରହଣ କରିଛନ୍ତି । ଏହି ତାଲିକାରେ ଅନେକ ଇସଲାମୀୟ ଦେଶ ମଧ୍ୟ ରହିଛନ୍ତି ।
ଜଣେ ବିଶ୍ୱସ୍ତରୀୟ ନେତା ଭାବେ ମୋଦିଙ୍କ ପରିଚୟ କ୍ରମାଗତ ବଳିଷ୍ଠ ହେବାରେ ଲାଗିଛି । ବିଭିନ୍ନ ଅନ୍ତର୍ଜାତୀୟ ସଙ୍କଟର ସମାଧାନ ଦିଗରେ ଭାରତ ପ୍ରଭାବୀ ରାଷ୍ଟ୍ର ଭାବେ ପରିଚୟ ସୃଷ୍ଟି କରିଛି ।
ଋଷ-ୟୁକ୍ରେନ ଓ ଇସ୍ରାଏଲ- ପାଲେଷ୍ଟାଇନ ସଂଘର୍ଷ ଘଟଣାରେ ଭାରତ ଗୋଷ୍ଠୀ ନିରପେକ୍ଷତା ବଜାୟ ରଖି ମାନବୀୟ ଦୃଷ୍ଟିକୋଣ ସହ ବିଶ୍ବ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି । ଉଭୟ ଯୁଦ୍ଧ ବେଳେ ଭାରତ ମାନବୀୟ ସହୟତା ପ୍ରଦାନକୁ ନିଶ୍ଚିତ କରିଥିଲା ।