SunStarTV
ଆଜି ପୁଣି ରଥଟଣା। ଗତକାଲି ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଟାଣିବେ ଶ୍ରଦ୍ଧାଳୁ। ସିଂହଦ୍ୱାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଛନ୍ତି ୩ ରଥ । ସୁଭଦ୍ରାଙ୍କ ଦର୍ପଦଳନ ରଥ ରାଜନଅର ସମ୍ମୁଖରେ ଅଟକି ରହିଛି। ସେହିପରି ମରିଚିକୋଟ ଛକରେ ଅଟକି ରହିଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ।
ଗତକାଲି ନିର୍ଦ୍ଧାରିତ ସମୟ ପ୍ରାୟ ୨ ଘଣ୍ଟା ଆଗରୁ ଆରମ୍ଭ ହୋଇଯାଇଥିଲା ତିନି ଠାକୁରଙ୍କ ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପରେ ପରେ ବଡ଼ଭାଇ ବଳଭଦ୍ର। ପଛେ ପଛେ ମା’ ସୁଭଦ୍ରା, ଆଉ ଶେଷରେ କାଳିଆ ରାଜା ନନ୍ଦିଘୋଷ ରଥକୁ ବିଜେ କରିଥିଲେ ।
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ। ତା’ପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରପହଁରା ସହ ବନ୍ଦାପନା କରିଥିଲେ ଗଜପତି।ଆଜି ରଥ ଉପରେ ଶ୍ରୀଜିଉଙ୍କ ନୀତିକାନ୍ତି ପରେ ପୁଣି ରଥଟଣା ଆରମ୍ଭ ହେବ।୫୩ ବର୍ଷ ପରେ ଦୁର୍ଲ୍ଲଭ ଯୋଗ ପଡିଥିବାରୁ ଦୁଇ ଦିନ ରଥ ଟଣା ହେବ ।