SunstarTV
କେବେ ଖୋଲିପାରେ ରତ୍ନଭଣ୍ଡାର ଏହାକୁ ନେଇ ଆସନ୍ତା ୯ ତାରିଖର ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି। ନବଗଠିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ଆଲୋଚନା ଓ ନିଷ୍ପତ୍ତିରୁ ବର୍ତ୍ତମାନ ଏହି ସୂଚନା ମିଳିଛି। କମିଟି ସ୍ପଷ୍ଟ କରିଛି ଯେ ଚାବିରେ ରତ୍ନଭଣ୍ଡାର ନଖୋଲିଲେ, ତାଲାକୁ ଭଙ୍ଗାଯିବ।
ଅପରପକ୍ଷେ ଉଭୟ ଅଳଙ୍କାର ଗଣତି ସହ ରତ୍ନଭଣ୍ଡାର ମରାମତି ଆବଶ୍ୟକ। ଆବଶ୍ୟକ ପଡ଼ିଲେ, ସ୍ବତନ୍ତ୍ର ଅସ୍ଥାୟୀ ଗୃହ କରାଯାଇ ଏହାକୁ ସେଠାରେ ରଖାଯିବ। ଏ ନେଇ ଅନ୍ୟ ଏକ ସ୍ବତନ୍ତ୍ର ଏସ୍ଓପି ଜାରି ହେବ।
ଗତକାଲିର ବୈଠକରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି ସହ ମରାମତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକ ପରେ କମିଟି ଅଧ୍ୟକ୍ଷ ଜଷ୍ଟିସ ରଥ କହିଛନ୍ତି, ଆଲୋଚନା ପରେ ଅତୀତର କାଗଜପତ୍ରରୁ ଜଣାପଡ଼ିଥିଲା ଯେ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଅଛି। ଏହା ଜିଲ୍ଲା କୋଷାଗାରରେ ରହିଛି। ଆମେ ପରବର୍ତ୍ତୀ ବୈଠକ ପାଇଁ ୯ ତାରିଖ ଧାର୍ଯ୍ୟ କରିଛୁ। ଏହି ଦିନ ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାପନ କରାଯିବ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ରତ୍ନଭଣ୍ଡାର ଚାବି ଖୋଲାଯିବା ତାରିଖ ଉକ୍ତ ବୈଠକରେ ସ୍ଥିର କରାଯିବ। ତେବେ ୯ ତାରିଖ ସକାଳ ୧୦ଟାରେ କମିଟିର ଆଗାମୀ ବୈଠକ ବସିବ ବୋଲି ଜଷ୍ଟିସ ରଥ କହିଛନ୍ତି।