SunstarTV
ରାଜ୍ୟରେ ବିଜେପି ସରକାର ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ପରେ ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ଗୋଟିଏ ପରେ ଗୋଟିଏ ପାଳନ କରୁଛି। ତେବେ ଏହା ଭିତରେ ଓଡିଆ ଭାଷାରେ ପଢ଼଼ା ହେବ ଡାକ୍ତରୀ ପାଠ। ଏଥିପାଇଁ ଡାକ୍ତରୀ ପାଠ୍ୟ ପୁସ୍ତକର ଓଡିଆ ଅନୁବାଦ କରାଯିବ।
ଏମବିବିଏସ ପାଠ୍ୟକ୍ରମ ପାଇଁ ଉପଲବ୍ଧ ବହିକୁ ଓଡ଼ିଆରେ ଅନୁବାଦ କରାଯିବ । କେଉଁ କେଉଁ ବହିରୁ ଅନୁବାଦ କରାଯିବ ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୨୨ ଜଣିଆ କମିଟି ଗଠନ କରାଯାଇଛି । ଆସନ୍ତା ୧୫ ଦିନ ଭିତରେ ଏହି କମିଟି, ବିଭାଗକୁ ଆବଶ୍ୟକ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି କାମ ପାଇଁ କେତେ ପାଣ୍ଠି ଆବଶ୍ୟକ ଏବଂ କେତେଦିନ ଭିତରେ ଏମ୍ବିବିଏସ୍ ପାଠ୍ୟ ପୁସ୍ତକର ଅନୁବାଦ କାର୍ଯ୍ୟ ଶେଷ ହେବ ତାହା ଉକ୍ତ କମିଟି ଧାର୍ଯ୍ୟ କରିବ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ୨୨ଜଣିଆ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଅଛନ୍ତି ପ୍ରଫେସର ଡାକ୍ତର ସାହୁ। ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଆବାହକ ଅଛନ୍ତି। ସଦସ୍ୟ ଭାବେ ବିଭିନ୍ନ ମେଡିକାଲ କଲେଜ ଓ ଭୁବନେଶ୍ୱର ଏମସ୍ ପ୍ରଫେସରମାନଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ ଡାକ୍ତର ପ୍ରଭାସ ତ୍ରିପାଠୀ, ପ୍ରଫେସର, ଅର୍ଚ୍ଚନା ମିଶ୍ର, ପ୍ରଫେସର ମନସ୍ୱିନୀ ମଙ୍ଗରାଜ, ପ୍ରଫେସର ନିରଞ୍ଜନ ରାଉତ, ଡାକ୍ତର ଭାରତ ପଟେଲ, ଡାକ୍ତର ପ୍ରଦୀପ କୁମାର ନାୟକ, ଡାକ୍ତର ବିଶ୍ୱରଞ୍ଜନ ପାଢ଼ୀ, ପ୍ରଫେସର ଦୁର୍ଗା ଶତପଥୀ, ପ୍ରଫେସର ପ୍ରଦୀପ୍ତ ପରିଡ଼ା, ପ୍ରଫେସର ପ୍ରସନ୍ନ କୁମାର ରାଠୋର, ଡାକ୍ତର ଲକ୍ଷ୍ମଣ ବାଗ, ପ୍ରଫେସର ରୀତାଞ୍ଜଳି ବେହେରା, ପ୍ରଫେସର ବିଷ୍ନୁ ପାତ୍ର, ପ୍ରଫେସର ଭାଗିରଥୀ ଦ୍ୱିବେଦୀ, ଡାକ୍ତର ବିଶ୍ୱନାଥ ବେହେରା, ପ୍ରଫେସର ମିହିର ରଞ୍ଜନ ନାୟକ, ପ୍ରଫେସର ରଞ୍ଜିତା ମହାପାତ୍ର,ଡାକ୍ତର ସୁଦୀପ୍ତ ନାୟକ, ଡାକ୍ତର ରାଜଶ୍ରୀ ରାଉତ ରହିଛନ୍ତି । ଏମାନଙ୍କ ବ୍ୟତୀତ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ଉପଦେଷ୍ଟା ଡଃ ପ୍ରେମାନନ୍ଦ ମହାପାତ୍ର ମଧ୍ୟ ସଦସ୍ୟ ରହିଛନ୍ତି।
ଜାତୀୟ ଶିକ୍ଷା ନୀତି ବିରୋଧରେ ଯାଇ ହିନ୍ଦୀ କିମ୍ବା ଆଞ୍ଚଳିକ ଭାଷାରେ ଡାକ୍ତରୀ ଶିକ୍ଷାଦାନ ହୋଇପାରିବ ନାହିଁ ବୋଲି ୨୦୨୧ ସେପ୍ଟେମ୍ବର ମାସରେ ନ୍ୟାସନାଲ ମେଡିକାଲ କାଉନସିଲ (ଏନ୍ଏମ୍ସି) ସ୍ପଷ୍ଟ କରିଥିଲା। ଇଂରାଜୀ ବ୍ୟତୀତ ଅନ୍ୟ କୌଣସି ଭାଷାରେ ଶିକ୍ଷାଦାନ ପାଇଁ ନିୟମରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଏନ୍ଏମ୍ସି କହିଥିଲା। ଡାକ୍ତରୀ ଓ ପାରାମେଡିକାଲ ପାଠ୍ୟକ୍ରମରେ ହିନ୍ଦୀ ଭାଷାର ପ୍ରଚଳନ ପାଇଁ ମଧ୍ୟ ପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସରକାର ଘୋଷଣା କରିବା ପରିପ୍ରେକ୍ଷୀରେ ଏନ୍ଏମ୍ସି ଏହି ସ୍ପଷ୍ଟିକରଣ ଜାରି କରିଥିଲା।
ସୂଚନାମୁତାବକ ନୂଆ ଶିକ୍ଷା ନୀତି ଅନୁସାରେ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରାଯାଉଛି । ଏବେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେଉଥିବା ନିଟ୍ ପ୍ରବେଶିକା ପରୀକ୍ଷା ମଧ୍ୟ ବିଭିନ୍ନ ପ୍ରଦେଶିକ ଭାଷାରେ ଅନୁଷ୍ଠିତ ହେଉଛି ।