Sunstar TV :
ନୈଷ୍ଠିକ ବଙ୍ଗାଳି ବ୍ରାହ୍ମଣ କଳାଚାନ୍ଦ ବିଧର୍ମୀ କଳାପାହାଡ଼ର କଳଙ୍କ ମୁଣ୍ଡରେ ବୋହି ଜଗନ୍ନାଥ ମହାପ୍ରଭୁଙ୍କ ଦାରୁ ବିଗ୍ରହକୁ ଶଗଡ଼ରେ ବାନ୍ଧି ବଙ୍ଗ ଅଭିମୁଖେ ଚାଲିଥିଲା। ପୁରୀର ଗଜପତି ମୁକୁନ୍ଦଦେବ ବନ୍ଦୀ ହୋଇ ହତପ୍ରଭ ଥିଲେ। ସାରା ରାଜ୍ୟରେ ଖେଳିଯାଇ ଥାଏ ଦୁଃଖର ଛାୟା। କଳାପାହାଡ଼ର ସେନା ଆଗରେ ବିବସ ଥାଏ କଳିଙ୍ଗ ରାଜ୍ୟ। ଯାଜପୁରର ଜଗନ୍ନାଥ ଭକ୍ତ ବିସର ମହାନ୍ତି, ମୃଦଙ୍ଗବାଦକ ବେଶରେ କଳାପାହାଡ଼ର ସେନାକୁ ବେସ୍ କିଛି ଅନ୍ତର ରଖି ଅନୁସରଣ କରି ପଛେ ପଛେ ଚାଲି ଥାଆନ୍ତି। ହୁଗୁଳିନଦୀ କୂଳରେ, କଳାପାହାଡ଼ ଦାରୁ ବିଗ୍ରହକୁ ପୋଡ଼ିବାକୁ ଚେଷ୍ଟାକରେ, ଦାରୁ ଜଳିଯାଏ, କିନ୍ତୁ ଜଳେ ନାହିଁ ନାଭି ବ୍ରହ୍ମ।
ବ୍ରହ୍ମରେ ନିଆଁ ଲଗେଇବାର ପ୍ରୟାସରେ, କଳାପାହାଡ଼ ଦେହରେ ସୃଷ୍ଟି ହେଲା ଅସହ୍ୟ ଜଳାପୋଡ଼ାର କଷ୍ଟ। ଭୟରେ ଦରପୋଡ଼ା ବ୍ରହ୍ମକୁ କଳାପାହାଡ଼ ଫୋପାଡ଼ି ଦିଏ ନଦୀଗର୍ଭକୁ। ଜ୍ୱଳନ ବେଦନାରେ ଚକିତ୍ସା ପାଇଁ କଳାପାହାଡ଼ ବଙ୍ଗ ରାଜଧାନୀ ଅଭିମୁଖେ ତୀବ୍ର ଗତିରେ ପ୍ରସ୍ଥାନ କଲା। ଏପଟେ ବିସର ମହାନ୍ତି ନଦୀରୁ ବ୍ରହ୍ମ ଉଦ୍ଧାର କରିବାରେ ସକ୍ଷମ ହୁଅନ୍ତି। ବ୍ରହ୍ମକୁ ମୃଦଙ୍ଗ ଭିତରେ ଗୁପ୍ତ ରଖି ଫେରନ୍ତି ଶ୍ରୀକ୍ଷେତ୍ର ଅଭିମୁଖେ। କଳାପାହାଡ଼ ଏବଂ ତାର ଦୁର୍ଦ୍ଧଷ ସେନାର ଭୟରେ, ରାଜପଥରେ ନଆସି, ଜଙ୍ଗଲ ପଥରେ ଯାତ୍ରା ଆରମ୍ଭ କଲେ ବିସର ମହାନ୍ତି।
ସେତବେଳେର ଜଙ୍ଗଲ, ରାସ୍ତା ଭୁଲିଯିବାର ଭୟ, ତେଣୁ ନୀଳାଚଳର ସମୁଦ୍ର ତଟକୁ ଲକ୍ଷ୍ୟରେ ରଖି ସମୁଦ୍ର କୂଳେ କୂଳେ, ଲହଡ଼ିର ଶବ୍ଦ ବାରି ବାରି, ବିସର ମହାନ୍ତି ଚାଲିଲେ ପୁରୀ ଅଭିମୁଖେ। ଏମିତି ଚାଲି ଚାଲି, ବର୍ତ୍ତମାନର ପଟ୍ଟାମୁଣ୍ଡାଇର କଖାରୁଣୀରେ ପହଁଚିଲେ । ବ୍ରହ୍ମସ୍ଥାନରେ ଆଜି କଖାରୁଣୀର ଜଗନ୍ନାଥ ମନ୍ଦିର ସ୍ଥାପନ ହୋଇଛି।
କିଛି ବାଟ ଗଲା ପରେ ଆଜିର ଜିଲ୍ଲାନାସି ପଞ୍ଚାୟତରେ ବରିହାଡିହା ଠାରେ ବିସର ମହାନ୍ତି ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ। ଜଣେ ସାଧୁଙ୍କ ପାଖରେ ଏକ ବାଘ ବସିଥିବାର ଦେଖି ଆଶ୍ଚର୍ୟ୍ୟ ହେଲେ ଏବଂ ପ୍ରଭୁଙ୍କ ଲୀଳା ଭାବି ସେ ସାଧୁ ଜଣେ ଅସାଧାରଣ ବ୍ୟକ୍ତି ବୋଲି ବୁଝିପାରି ତାଙ୍କ ହାତକୁ ବ୍ରହ୍ମ ଥିବା ମୃଦଙ୍ଗକୁ ବଢେଇ ଦେଇଥିଲେ।
ସେ ସାଧୁ ଥିଲେ ମହାପୁରୁଷ କୃଷ୍ଣ କଳ୍ପତରୁ । ଏହିଠାରେ ବ୍ରହ୍ମ ଦିଆନିଆ ହୋଇଥିବାରୁ ସେ ସ୍ଥାନର ନାମ “ବ୍ରହ୍ମଦିଆ” ଯାହା ଆଜି ଅପଭ୍ରଂଶ ହୋଇ “ବରିହାଡିହା ” ନାମରେ ପରିଚିତ ଏବଂ ସେଇଠାରୁ ପୁରାତନ କୁଜଙ୍ଗ ରାଜ୍ୟରେ ମହାପ୍ରଭୁଙ୍କ ବ୍ରହ୍ମ ପ୍ରବେଶ ହୁଏ। ସେପଟେ ଖୁରୁସିଆରେ ମା “ବ୍ରହ୍ମାଣୀ” ସେବଠାରୁ ପୂଜା ପାଉଛନ୍ତି। ଖୁରୁସିଆରେ ପଣାସଂକ୍ରାନ୍ତିରେ ଝାମୁ ଘଣ୍ଟ ଜଗନ୍ନାଥ ସଂସ୍କୃତିର ଏକ ଅଂଶ ବିଶେଷ ।
ବରିହାଡିଆରୁ ବିସର ମହାନ୍ତିଙ୍କ ସହିତ ମହାପୁରୁଷ କୃଷ୍ଣ କଳ୍ପତରୁ ମଧ୍ୟ ଆଗକୁ ଚାଲିବାକୁ ଲାଗିଲେ। ଯେଉଁଠି ରାମ ସେଠି ନଳ ନୀଳ, ଯେଉଁଠି କୃଷ୍ଣ ସେଠି ସୁଦାମ ସୁବଳ, ଯେଉଁଠି ଜଗନ୍ନାଥ, ତାଙ୍କ ପାଖେ ପାଖେ ରହିଛନ୍ତି ପଞ୍ଚସଖା। କୁଜଙ୍ଗ ରାଜ୍ୟରେ ପଞ୍ଚସଖାଙ୍କ ସହିତ ପ୍ରଭୁଙ୍କ ମିଳନର ସ୍ଥାନ ଆଜି ମଧ୍ୟ ସେ ସ୍ମୃତିକୁ ଧରି ରଖିଛି।
ପଞ୍ଚସଖା ଜଗନ୍ନାଥ ଦାସଙ୍କ ସ୍ଥାନ ଜଗନ୍ନାଥପୁର, ଅନନ୍ତଦାସଙ୍କ ସ୍ମୃତି ସ୍ଥାନ ଅନନ୍ତପୁର, ବଳରାମ ଦାସଙ୍କ ସ୍ମୃତି ସ୍ଥାନ ବଳରାମପୁର, ଅଚ୍ୟୁତାନନ୍ଦ ଦାସଙ୍କ ସ୍ମୃତି ସ୍ଥାନ ଅଚ୍ୟୁତପୁରରେ ବହୁ ପୁରାତନ ମଠ ସବୁ ଆଜି ମଧ୍ୟ ବିଦ୍ୟମାନ। ଏହି ମଠମାନଙ୍କରେ ଜଗନ୍ନାଥ ସଂସ୍କୃତି ଇତିହାସର ମୁକସାକ୍ଷୀ ସେ ସମୟର ପୁରାତନ ବୃକ୍ଷ୍ୟ ମଧ୍ୟ ଦେଖିବାକୁ ମିଳେ।
ଏହି ଯାତ୍ରା ସମୟରେ ପ୍ରଭୁଙ୍କ ବ୍ରହ୍ମ ଯେଉଁ ଯେଉଁ ସ୍ଥାନରେ ସମୟ ସମୟରେ ରହିଛି, ବା ସେ ସ୍ଥାନରେ ବ୍ରହ୍ମ ଗାଦିଶ୍ୱର ହୋଇଥିବାରୁ, ସେ ସମସ୍ତ ମଠ ମନ୍ଦିର ଆଜି ଗାଦିବ୍ରହ୍ମ ପିଠ ଭାବେ ପରିଚିତ। ଇରିବୀଣା ଠାରେ ବ୍ରହ୍ମ ପହଞ୍ଚିବା ସମୟରେ ଅଲୌକିକ ଭାବେ ଏକ ପୁଷ୍କରିଣୀ ଏବଂ ବାମ୍ଫି ସୃଷ୍ଟି ହୋଇଥିଲା, ଯାହା ଆଜି ମଧ୍ୟ ବିଦ୍ୟମାନ।
ଇରିବୀଣା ପରେ କୁଞ୍ଜକୋଠିରେ କୁଞ୍ଜକୁଟୀରରେ ବ୍ରହ୍ମ ସ୍ଥାପନ ହୋଇ ଗୁପ୍ତରେ ପୂଜା ପାଇଲେ। କିଛିଦିନ ପରେ କୁଜଙ୍ଗ ରାଜାଙ୍କୁ ସ୍ୱପ୍ନାଦେଶ ହୁଏ, ରାଜା କୁଞ୍ଜ କୋଠିରୁ ପ୍ରଭୁଙ୍କୁ ଆଣି ନିଜ ଅସ୍ତ୍ରାଗାର ଗଡ଼କୁଜଙ୍ଗରେ ସ୍ଥାପନ କରି ନୀତିନିୟମରେ କୁଞ୍ଜବିହାରୀ ନାମରେ ପୂଜା ଅର୍ଚ୍ଚନା କରିବାକୁ ଲାଗିଲେ। ସେବେଠାରୁ ଗଡକୁଜଙ୍ଗ ସୁଭଦ୍ରା କ୍ଷେତ୍ର ଭାବେ ପରିଚିତ।
ସେପଟେ ପୂର୍ବ ଦିଗରେ ହନୁମାନ ମହାବୀର ନାମରେ ସାମୁଦ୍ରିକ ପ୍ରକୋପକୁ ଜଗିରହିଲେ। ଏଇମିତି ୮ବର୍ଷ ଆମ ଅଞ୍ଚଳରେ ରହିଲା ପରେ, ହଟିଆ ଠାକୁରଙ୍କ ଇଚ୍ଛା ହୁଏ ଶ୍ରୀକ୍ଷେତ୍ରକୁ ଫେରିବାକୁ। ସ୍ୱପ୍ନାଦେଶରେ ନିର୍ଦ୍ଦେଶ ଦେବାରୁ ଗଜପତି ଆସି ପ୍ରଭୁଙ୍କୁ ଶ୍ରୀକ୍ଷେତ୍ରକୁ ନେଇଗଲେ।
ପ୍ରଭୁ ଶ୍ରୀ ଜଗନ୍ନାଥ ଯେତେ ବେଳେ ଯାହା ଚାହିଁ ଛନ୍ତି ସେ ତାହା କରିଛନ୍ତି । ହଟିଆ ଠାକୁରଙ୍କ ହଟ ବୁଝିବାକୁ ଏ ସାମାନ୍ୟ ମାନବର କିବା ଶକ୍ତି ଅଛି । ପ୍ରଭୁଙ୍କର ଦିବ୍ୟ ଅଲୌକିକ ଶକ୍ତି କେବଳ ଭକ୍ତ ଅନୁଭବ ହିଁ କରିପାରିବ ଯେତେ ବେଳେ ସେ ସଂପୂର୍ଣ୍ଣ ଭାବେ ତାଙ୍କ ଆଗରେ ସମର୍ପିତ ହୋଇ ଯିବ ।