Sunstar TV :
ରଥଯାତ୍ରା ସମୟରେ ରଥ ଗଡିଲାନି। ଭକ୍ତ ଯେତେ ଟାଣିଲେବି ରଥ ଇଞ୍ଚେବି ହଲିଲାନି। ଶେଷରେ ରାଜାଙ୍କ ହାତୀ ଆସି ଲାଗିଲେ ହେଲେବି ରଥ ଗଡିବାର ନାଆଁ ଧରୁ ନଥାଏ । ପଣ୍ଡାଏ ଯେତେ ଗୁହାରି କରୁଥାଆନ୍ତି । ଯେତେ ହରିବୋଲ ହୁଳଳୁଳି ପକାଉ ଥାଆନ୍ତି ହେଲେ ନନ୍ଦିଘୋଷ ସ୍ଥିର । ଦିନ ଗଡି ଚାଲୁଥାଏ । ସଧ୍ୟା ପ୍ରାୟ ହେବା ଅବସ୍ଥା ସେପଟୁ କିଏ ହୋ ହୋ ହୋଇ ଧାଇଁ ଆସିଲେ କହିଲେ ସମୁଦ୍ର କୂଳ ବାଲିରେ ବାଲିରଥ ଟିଏ ଗଡୁଛି ।
ବଳରାମ ଦାସ ଟାଣୁଛି । ପଣ୍ଡାଏ ଶୁଣି ମୁଣ୍ଡରେ ହାତ ଦେଲେ । ଗଜପତି ମହାରାଜା ମଧ୍ୟ ଅଖିରୁ ଲୁହ ପୋଛି ଜଗନ୍ନାଥଙ୍କ ପାଦ ତଳୁ ଉଠିଲେ। ସମସ୍ତେ ଧାଇଁଲେ ସମୁଦ୍ର ଆଡେ ହଁ ଭକ୍ତ ବନ୍ଧୁ । ଏ ହେଉଛନ୍ତି ସେହି ବଳରାମ ଦାସ । ଯାହାଙ୍କ ପାଇଁ ନନ୍ଦିଘୋଷ ଛାଡି ବାଲି ରଥରେ ବିଜେ କଲେ ଜଗନ୍ନାଥ ।
ପଞ୍ଚଦଶ ଶତାବ୍ଦୀରେ ଓଡିଶାର ଜଗନ୍ନାଥ ସଂସ୍କୃତି ଏବଂ ସନାତନ ଧର୍ମର ପ୍ରଚାର ପ୍ରସାର ସାରା ଭାରତରେ କରିଥିଲେ ଆମର ପୂଜ୍ୟ ପଞ୍ଚସଖା ଶ୍ରୀ ଅଚ୍ୟୁତାନନ୍ଦ ଦାସ, ଶ୍ରୀ ଯଶୋବନ୍ତ ଦାସ, ଶ୍ରୀ ଶିଶୁ ଅନନ୍ତ ଦାସ, ଶ୍ରୀ ଜଗନ୍ନାଥ ଦାସ ଏବଂ ଶ୍ରୀ ବଳରାମ ଦାସ। ପଞ୍ଚସଖା ଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ହେଉଛନ୍ତି ସନ୍ଥ ବଳରାମ ଦାସ ସର୍ବାଗ୍ରେ ସେ ହିଁ ପୁରୁଷୋତ୍ତମ ଧାମରେ ପାଦ ଦେଇଥିଲେ।
ମହାପ୍ରଭୁଙ୍କ ପରମ ଭକ୍ତ ଥିଲେ ବଳରାମ ଦାସ । ସେଦିନ ଥିଲା ରଥ ଯାତ୍ରା ଜଗନ୍ନାଥ ପହଣ୍ଡି ହୋଇ ରଥ ଉପରେ ଥାଆନ୍ତି । ସେହି ସମୟରେ ସେ ଅଶୌଚ ଭାବରେ ନନ୍ଦିଘୋଷ ରଥରେ ଚଢିବା ପାଇଁ ଚେଷ୍ଟା କରୁଥିଲା ବେଳେ ପଣ୍ଡା ମାନଙ୍କ ହାତରେ ଧରାପଡିଲେ। ସେମାନେ ଘୋଷାଡି ଓଟାରି ତାଙ୍କୁ ମାଡମାରି ବାହାର କରିଦେଲେ ସେଠାରୁ। ସେବାୟତମାନଙ୍କ ଦ୍ୱାରା ଲାଞ୍ଛିତ ଅପମାନିତ ହୋଇ କାନ୍ଦି କାନ୍ଦି ସେ ପହଞ୍ଚିଥିଲେ ବାଙ୍କୀ ମୁହାଁଣ ରେ।
ସେଇଠି ବାଲୁକା ଶଯ୍ୟା ରେ ଭକ୍ତି ସହକାରେ ଗଢିଥିଲେ ତିନୋଟି ରଥ ଏବଂ ତାଙ୍କ ରଥରେ ବିଜେ କରିବା ଲାଗି ଆକୁଳ ପ୍ରାର୍ଥନା କରିଥିଲେ ଶ୍ରୀଜଗନ୍ନାଥଙ୍କୁ। ଭକ୍ତର ଅଚଳା ଭକ୍ତିରେ ସନ୍ତୁଷ୍ଟ ହୋଇ ପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ଛାଡି ବଳରାମ ଦାସଙ୍କ ବାଲି ରଥରେ ବିଜେ ହୋଇଥିଲେ।
ବଳରାମ ଦାସ ଙ୍କୁ ସିନା ଗଜପତି ମହାରାଜା ନିମନ୍ତ୍ରଣ କରିଦେଲେ ଶ୍ରୀମନ୍ଦିର କୁ, ହେଲେ ମହା ଅଭିମାନୀ ବଳରାମ ଦାସ ଆଉ ପୁରୀରେ ନିବାସ କଲେନାହିଁ। ସେ ପୁରୀ ତ୍ୟାଗ କରି ନିଜ ଗ୍ରାମ ଏରବଙ୍ଗ ଠାରେ ତୁଳସୀ ଚଉରା ବୋଲି ମଠ ଟିଏ ସ୍ଥାପନ କରି ସେଇଠି ରହି ଜଗନ୍ନାଥଙ୍କ ଆରାଧନା କରିଥିଲେ। ଶେଷଜୀବନ ପର୍ଯ୍ୟନ୍ତ ସେ ସେହିଠାରେ ଶିଷ୍ୟ ମାନଙ୍କ ସହିତ ଅବସ୍ଥାନ କରି ଜଗନ୍ନାଥ ସଂସ୍କୃତିର ମହାନତା ବୃଦ୍ଧି କରିବାର ପ୍ରଚେଷ୍ଟାରତ ହେଲେ।
କଥିତ ଅଛି ଯେ ବଳରାମ ଦାସଙ୍କ ଶେଷ ସମୟ ଉପସ୍ଥିତ ହେବା ପୂର୍ବରୁ ସେ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ ଥରେ ମାତ୍ର ଆସି ତାଙ୍କୁ ସେଇଠି ଦର୍ଶନ ଦେବା ଲାଗି। ଭକ୍ତର ଗୁହାରି ଶୁଣି ଶ୍ରୀଜଗନ୍ନାଥ, ମା’ ଲକ୍ଷ୍ମୀଙ୍କୁ ସାଥିରେ ନେଇ ଆସି ସେହି ମଠରେ ଦର୍ଶନ ଦେଇଥିଲେ ବଳରାମ ଦାସଙ୍କୁ ।
ଶେଷରେ ଆଷାଢ ଶୁକ୍ଳ ତ୍ରୟୋଦଶୀ (ଅନଙ୍ଗ ତ୍ରୟୋଦଶୀ) ଦିନ ବ୍ରହ୍ମସମାଧିରେ ବସି ବ୍ରହ୍ମଲୀନ ହୋଇଥିଲେ ଭାବ ଭକ୍ତିରେ ପ୍ରମତ୍ତ ଭକ୍ତ ବଳରାମ ଦାସ। ତାଙ୍କ ଭକ୍ତିର ସ୍ୱାକ୍ଷର ଚିରକାଳ ପାଇଁ ଜାଜ୍ଜ୍ୱଲ୍ୟମାନ ହୋଇ ରହିଛି ପୁରୀ ଜିଲ୍ଲାର ସମଗରା ଶାସନ ଏରବଙ୍ଗ ଗ୍ରାମରେ।