Sunstar TV :
ଅଣସର ସମୟରେ ପ୍ରଭୁ ଅଲାରନାଥ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି । ଶ୍ରୀମନ୍ଦିରରେ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ ନକରିପାରି ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରି କୃପା ଲାଭ କରନ୍ତି । ଏହି ସମୟରେ ଏକ ପ୍ରକାର ସ୍ୱାଦିଷ୍ଟ କ୍ଷୀରି ଭୋଗ କରାଯାଏ । ଅଲାରନାଥଙ୍କ କ୍ଷୀରିଭୋଗ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି । ଏକଦା ସେବା କାର୍ୟ୍ୟରେ ନିୟୋଜିତ ଅଲାରନାଥଙ୍କ ପୂଜକ କାର୍ଯ୍ୟବଶତଃ ଅନ୍ୟ ଗ୍ରାମକୁ କେତେଦିନ ପାଇଁ ଚାଲିଯାଇଥିଲେ । ଯିବା ପୂର୍ବରୁ ସେ ତାଙ୍କର ନାବାଳକ ପୁତ୍ରକୁ ଠାକୁରଙ୍କ ନିକଟରେ କ୍ଷୀରିଭୋଗ କରିବା ପାଇଁ କହି ଯାଇଥିଲେ ।
ଅଜ୍ଞାନ ବାଳକ ପୂଜା ପଦ୍ଧତି ସମ୍ୱନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ସୁଦ୍ଧା କ୍ଷୀରି ହାଣ୍ଡି ଧରି ଠାକୁରଙ୍କ ପାଖରେ ପହଞ୍ଚି ତାର ଚପଳ ବୁଦ୍ଧି ଓ ଭକ୍ତି ସହକାରେ ଆଖି ବନ୍ଦ କରି ଠାକୁରଙ୍କୁ ଆବାହନ କରିବା ପରେ ଦେଖିଲା ହାଣ୍ଡିରେ କିଛି କ୍ଷୀରି ନାହିଁ । ଘରକୁ ଖାଲି ହାଣ୍ଡି ଧରି ଫେରି ତା’ମା ଆଗରେ ସମସ୍ତ ଘଟଣା କହିଲେ ସୁଦ୍ଧା ମା’ର ବିଶ୍ୱାସ ହେଲା ନାହିଁ । ବିଲେଇ କ୍ଷୀରି ବୋଧହୁଏ ଖାଇ ଦେଇଥିବ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଥିବ, ଏହି ଆଶଙ୍କାରେ ପୁତ୍ରର ମା’ ରାତ୍ରି ସାରା ଶୋଇ ପାରି ନ ଥିଲେ ।
ତା ପରଦିନ ପୁଅକୁ କ୍ଷୀରି ହାଣ୍ଡି ସହ ପଠାଇ ବାଳକଟିର ମା’ ଅଲାରନାଥ ବିଗ୍ରହଙ୍କର ପଶ୍ଚାତ୍ ଭାଗରେ ଲୁଚି ରହିଥିଲେ । କ୍ଷୀରି ଖାଇବା ପାଇଁ ବାଳକଟି ଠାକୁରଙ୍କୁ ଆବାହନ କଲା ମାତ୍ରେ, ପ୍ରଭୁ ଅଲାରନାଥ ନଇଁ ପଡ଼ି କ୍ଷୀରି ଖାଉଥିବା ବେଳେ ବାଳକଟିର ମା’ ଭୟରେ ଚିତ୍କାର କରିଥିଲେ । ଗରମ କ୍ଷୀରି ପ୍ରଭୁଙ୍କ ହାତ ଓ ମୁହଁରେ ପଡ଼ି ଫୋଟକା ହୋଇଯାଇଥିଲା । ଅଦ୍ୟାବଧି ଏହାର ସ୍ମୃତି ସ୍ୱରୂପ ସ୍ଥାନୀୟ ପୂଜକମାନେ ବିଗ୍ରହଙ୍କର ମୁହଁରେ ଥିବା ଫୋଟକା ଚିହ୍ନ ଦେଖାଇଥାନ୍ତି । ସ୍ଥାନୀୟ ଅଧିବାସୀଙ୍କ ବିଶ୍ୱାସ ଯେ, ପ୍ରଭୁ ଅଲାରନାଥ ସ୍ୱୟଂ କ୍ଷୀରିକୁ ଏଠାରେ ଆଘ୍ରାଣ କରି ଥାଆନ୍ତି, ଯାହାଫଳରେ କି ଏଠାରେ କ୍ଷୀର ଭୋଗ ଅତ୍ୟନ୍ତ ସୁସ୍ୱାଦୁ ଓ ପ୍ରସାଦ ରୂପେ ଭାରତ ବର୍ଷର ସମସ୍ତ ଭକ୍ତମାନଙ୍କ ଗ୍ରହଣୀୟ ହୋଇଛି ।
ଶ୍ରୀ ଅଲାରନାଥଙ୍କ ବାରମାସରେ ତେର ଯାତ ଅନୁଷ୍ଠିତ ହୁଏ । ଶ୍ରୀ ଜଗନ୍ନାଥଙ୍କ ପରି ଶ୍ରୀ ଅଲାରନାଥଙ୍କର ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ବେଶ କରାଯାଏ । ଅନବସର ସମୟରେ ଅନବସର ବେଶ, ଚନ୍ଦନ ଯାତ୍ରା ସମୟରେ ଚନ୍ଦନ ବେଶ, କାର୍ତ୍ତିକ ମାସରେ ରାଧାଦାମୋଦର ବେଶ, ଦଶହରା ଦିନ ରାଜବେଶ, ବସନ୍ତ ପଞ୍ଚମୀ ଦିନ ଘୋଡ଼ାଲିଗି ବେଶ ଓ ଅନ୍ୟାନ୍ୟ ବେଶ କରାଯାଏ । ସେହିଭଳି ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ଅନବସର ଉତ୍ସବ, ଚିତାଲାଗି ଅମାବାସ୍ୟା, ଗହ୍ମାପୂର୍ଣିମା, କୁମାର ପୂର୍ଣିମା, ବିଜୟା ଦଶମୀ, ଦେବ ଦୀପାବଳୀ, ଧନୁ ସଂକ୍ରାନ୍ତି, ପହିଲି ଭୋଗ, ମକର ସଂକ୍ରାନ୍ତି, ବକୁଳ ଅମାବାସ୍ୟା, ବସନ୍ତ ପଞ୍ଚମୀ, ଦୋଳ ପୂର୍ଣ୍ଣମୀ, ପୁଷ୍ୟାଭିଷେକ, ପଣାସଂକ୍ରାନ୍ତି, ଚନ୍ଦନ ଯାତ୍ରା ଆଦି ଅନୁଷ୍ଠିତ ହୁଏ । ବିଶେଷ ଭାବରେ ଅଣସର ସମୟରେ ପ୍ରଭୁଙ୍କର କୃପା ପାଇବା ପାଇଁ କେଉଁ ଆବାହମାନ କାଳରୁ ଭକ୍ତ ମାନେ ଏଠାରେ ପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଛନ୍ତି । ଯିଏ ଯେଉଁ ଭାବରେ ପ୍ରଭୁଙ୍କୁ ସ୍ମରଣ କରିଛି ପ୍ରଭୁ ତାକୁ ସେହି ଭାବରେ ଦେଖା ଦେଇଛନ୍ତି ।