SunStarTV
ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ହେବାପରେ ଅନେକ ଦଳୀୟ କନ୍ଦଳ ଘଟଣା ସାମ୍ନାକୁ ଆସୁଛି । ନିର୍ବାଚନ ପରେ ପରେ ବିଏମ୍ସି କର୍ପୋରେଟରମାନେ ଅଲଗାଅଲଗା ବୈଠକ କରି ପରସ୍ପରକୁ ପରୋକ୍ଷ ସମାଲୋଚନା କରିବା ଦଳୀୟ କନ୍ଦଳକୁ ପଦାରେ ପକାଇଥିବା ଥିଲେ ।
ବିଜେଡି ବିଧାୟକ ପ୍ରତାପ ଦେବଙ୍କ ସରକାରୀ ବାସଭବନରେ କର୍ପୋରେଟର ଅମରେଶ ଓ ବିରଞ୍ଚି ପହଞ୍ଚିଥିଲେ। ଏହାପୂର୍ବରୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ। ଏହା ପୂର୍ବରୁ ସ୍ଥାନୀୟ ଏକ ହୋଟେଲରେ ଏକାମ୍ର ଓ ମଧ୍ୟ ନିର୍ବାଚନମଣ୍ଡଳୀର ପ୍ରାୟ ୨୫ଜଣ କର୍ପୋରେଟର ଏକାଠି ହୋଇଥିଲେ।
କିନ୍ତୁ ଗତକାଲି ଅମରେଶ ଜେନାଙ୍କ ମନ୍ତବ୍ୟ ଦଳ ଭିତରେ ଚାଲିଥିବା ଅନେକ କନ୍ଦଳକୁ ବାହାରେ ପକାଇଥିଲା। ସେ କହିଥିଲେ କେତେଜଣ ଦଳୀୟ ନେତା ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଦଳ ଭିତରେ ବିଭୀଷଣ। କିନ୍ତୁ ଏହି ସବୁ ଚର୍ଚ୍ଚା ଉପରେ ଆଜି ବିଏମସି ମେୟର ସୁଲୋଚନା ମୁହଁ ଖୋଲିଛନ୍ତି।
ବିଜେଡି କର୍ପୋରେଟର ବିବାଦ ନେଇ ଚର୍ଚ୍ଚା ଭିତରେ ସୁଲୋଚନା କହିଛନ୍ତି ୫୭ଜଣ କର୍ପୋରେଟର ସମସ୍ତେ ଏକାଠି ଅଛୁ । ସବୁ ବିଜେଡି କର୍ପୋରେଟର ଏକାଠି ଅଛନ୍ତି । ଯେଉଁମାନେ ବିଭୀଷଣ କଥା କହୁଛନ୍ତି ସେକଥା ସେମାନେ କହିପାରିବେ । କାହାର ବ୍ୟକ୍ତିଗତ ରାଗରୁଷା ରହିଛି ସେ ମୁଁ କହିପାରିବି ନାହିଁ ବୋଲି ମେୟର କହିଛନ୍ତି।