Sunstar Tv
Weather Update: ଆସୁଛି ୨ଟି ଲଘୁଚାପ । ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଜୁଲାଇ ୭ରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଥିବାବେଳେ ୧୫ କିମ୍ୱା ୧୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛି।
୭ ତାରିଖରେ ସୃଷ୍ଟି ହେବା ଲଘୁଚାପ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ପ୍ରଭାବରେ ୩ରୁ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା ଆଶଙ୍କା ରହିଥିବା ବେଳେ ୬ ତାରିଖରୁ ରାଜ୍ୟର ବର୍ଷାର ପ୍ରକୋପ ବୃଦ୍ଧି ପାଇବ।
ସେହିପରି ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା । ରାଜ୍ୟରେ ଏବେ ବି ୨୬ % ବର୍ଷା ନିଅଣ୍ଟିଆ ହୋଇଛି। ୧୭ ଜିଲ୍ଲାରେ ବର୍ଷା ସ୍ବାଭାବିକ୍ ଠାରୁ କମ୍ ହୋଇଛି।
ଜୁନ୍ ପହିଲାରୁ ଜୁଲାଇ ୨ ତାରିଖ ଭିତରେ ରାଜ୍ୟରେ ୧୬୮.୭ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି। ୧୨ ଜିଲ୍ଲାରେ ଠିକ୍ ବର୍ଷା ସ୍ଥିତି ରହିଛି। ମାଲକାନଗିରିରେ ସ୍ବାଭାବିକ୍ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବାକି ୧୧ ଜିଲ୍ଲାରେ ବର୍ଷା ପରିମାଣ ସ୍ବାଭିବିକ୍ ଅଛି। ପାଣିପାଗ ବିଭାଗର ଆକଳନ ହେଲା , ବର୍ତ୍ତମାନ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ।
ତଥାପି ପ୍ରତିଦିନ ସ୍ବଳ୍ପ ବର୍ଷା ହୋଇପାରେ। ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୫ରୁ ୬ ତାରିଖ ମଧ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଜୁନ୍ ପହିଲାରୁ ଏଯାଏଁ ହୋଇଥିବା ବର୍ଷା ସ୍ଥିତି ଅନୁଧ୍ୟାନରୁ ଜଣାପଡିଛି ।
ମାଲକାନଗିରିରେ ଅଧିକ ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ , କୋରାପୁଟ୍, କନ୍ଧମାଳ, ରାୟଗଡା, ସୋନପୁର, ଦେବଗଡ଼, ନୟାଗଡ଼, ଢେଙ୍କାନାଳ, କଟକ,ଖୋର୍ଦ୍ଧା, ଜଗତସିଂହପୁରରେ ବର୍ଷା ପରିମାଣ ସ୍ବାଭାବିକ୍ ରହିଛି।
ସବୁଠାରୁ କମ୍ ବର୍ଷା ହୋଇଛି ମୟୂରଭଂଜ ଜିଲ୍ଲାରେ ଏହି ଜିଲ୍ଲାରେ ବର୍ଷା ଯେତିକି ହବକଥା, ତାହା ଠାରୁ ୬୫ % ନିଅଣ୍ଟିଆ ରହିଛି ସ୍ଥିତି।
ବାଲେଶ୍ବରରେ ୫୭% , କେନ୍ଦୁଝରରେ ୫୦ % , ଭଦ୍ରକରେ ୪୪ % , ଅନୁଗୁଳରେ ୪୧ % ,କେନ୍ଦ୍ରାପଡାରେ ୩୯ % , ଯାଜପୁରରେ ୩୬ % , ପୁରୀରେ ୩୮ % , ଝାରସୁଗୁଡାରେ ୩୪% , ସମ୍ବଲପୁରରେ ୩୧% , କଳାହାଣ୍ତିରେ ୩୨% , ସୁନ୍ଦରଗଡ଼ରେ ୩୦% , ଗଞ୍ଜାମରେ ୩୧% ଓ ବରଗଡର ୩୧ % ବର୍ଷା ନିଅଣ୍ଟିଆ ରହିଛି।
ସେପଟେ, ଲଗାତର ବର୍ଷା ସତ୍ତ୍ବେ ଉପକୂଳ ଓଡି଼ଶାରେ ଆଦ୍ରତା ପରିମାଣ ଅଧିକ ଥିବାରୁ ଗୁଳୁଗୁଳିର ପ୍ରକୋପ ଜାରି ରହିଛି। ତେବେ, ଆଜି ମଧ୍ୟ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ସେହି ଜିଲ୍ଲା ଗୁଡିକ ହେଲା, କଟକ , ଜଗତସିଂହପୁର , ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଦେବଗଡ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଓ କେନ୍ଦ୍ରାପଡା। ବର୍ଷା ସହ କିଛି ସ୍ଥାନରେ ବିଜୁଳି ଓ ଘଡଘଡି ହେବାର ମଧ୍ୟ ସମ୍ଭାବନା ରହିଛି ।