SunstarTV
ବିଜେପି ସରକାର ଆସିବା ପର ଠାରୁ ଆକ୍ସନ ମୋଡରେ ସବୁ ନେତା ମନ୍ତ୍ରୀ । ପ୍ରତିଠି କାର୍ଯ୍ୟକୁ ତଦାରଖ କରିବା ସହ ତାଗିଦ ମଧ୍ୟ କରୁଛନ୍ତି । ସେହି ପ୍ରେରିପ୍ରେକ୍ଷୀରେ ଆଜି ‘ମୋ ବସ୍’ରେ ଯାତ୍ରା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ସେ ମାଷ୍ଟର କ୍ୟାଣ୍ଟିନରୁ ଗାଡ଼କଣା ଯାଏ‘ମୋ ବସ୍’ରେ ଯାତ୍ରା କରିଛନ୍ତି । ସାଧାରଣ ଲୋକଙ୍କ ପରି ମୋ ବସରେ ବସି ଟିକେଟ୍ କାଟି ପରିଭ୍ରମଣ କରି ଏହାର ସୁବିଧା ଅସୁବିଧା ଦେଖୁଛନ୍ତି। ତେବେ ତାଙ୍କର ଏହି ଗସ୍ତରେ ତାଙ୍କ ସହ ସଚିବ ଅରୁଣ ବୋଥ୍ରା ରହିଥିଲେ।
ଏହି ଯାତ୍ରା ସମୟରେ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କିଭଳି ଟିକେଟ କଟାଯାଏ ଦେଖିଛନ୍ତି। ଏଥିସହ ସେ ଲୋକଙ୍କ ସହ ସୁବିଧା ଅସୁବିଧା ବି ବୁଝିଛନ୍ତି। ଉକ୍ତ ବସ୍ ରେ ଭିଡ଼ଥିବା ଦେଖିବାକୁ ମିଳିଛି। ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଏଭଳି ବସ୍ ଯାତ୍ରାକୁ ନେଇ ଯାତ୍ରୀମାନେ ପ୍ରଶଂସା କରିଛନ୍ତି।
ଏଣେ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଯାତ୍ରୀଙ୍କ ଫିଡବ୍ୟାକ୍ ପାଇବା ପରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏହି ସମୟରେ ଅରୁଣ ବୋଥ୍ରା କହିଛନ୍ତି, ମୋ କ୍ୟାରିୟର ଭିତରେ ପ୍ରଥମ ଥର ଜଣେ କ୍ୟାବିନେଟ୍ ମନ୍ତ୍ରୀ ବସ୍ ରେ ଯାତ୍ରା କରୁଥିବା ଦେଖୁଛି। ଏହାଦ୍ବାରା ଆମକୁ ଅଧିକ ଉତ୍ସାହ ମିଳୁଛି। ଏହି ଦିଗରେ ଖୁବ ଭଲ କାର୍ଯ୍ୟ ହେଉଛି ଆଗକୁ ମଧ୍ୟ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହିତ ଖୁବ୍ ଶୀଘ୍ର ୪୦୦ ପ୍ରଧାନମନ୍ତ୍ରୀଙ୍କ ଇ-ବସ୍ ଚାଲିବ ବୋଲି ସୂଚନା ଦେଇଛନ୍ତି।