Sunstar TV :
ସତ୍ୟ ଯୁଗରେ ମହାପ୍ରଭୁଙ୍କ ଲୀଳା ବ୍ରହ୍ମଗିରିରେ ପ୍ରକଟ ହୋଇଥିଲା । ତେବେ ଅନେକ କାଳ ଧରି ଏହି ଲୀଳା ଗୁପ୍ତ ହୋଇ ରହିବା ପରେ ମହାନ ବୈଷ୍ଣବ ସନ୍ଥ ଚୈତନ୍ୟଙ୍କ ଶ୍ରୀକ୍ଷେତ୍ରକୁ ଆଗମନ ସମୟରେ ଅଲାରନାଥଙ୍କ ମହିମା ପୁନର୍ବାର ଲୋକ ମୁଖରେ ପ୍ରଚାରିତ ହୋଇଥିଲା । ଶ୍ରୀ ଚୈତନ୍ୟ ତାଙ୍କ ଜୀବନର ଶେଷ ୧୮ବର୍ଷ ଶ୍ରୀକ୍ଷେତ୍ରରେ କଟାଇଥିଲେ । କାଶୀମିଶ୍ରାଳୟର ଗମ୍ଭୀରା ଘରେ ସେ ଅବସ୍ଥାନ ପୂର୍ବକ ପ୍ରତ୍ୟହ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ଶ୍ରୀମନ୍ଦିରକୁ ଯାଉଥିଲେ । ଅଣସର ସମୟରେ ପ୍ରଭୁଙ୍କର ଦର୍ଶନ ନପାଇ ବିରହ ଜ୍ୱାଳାରେ ମିୟମ୍ରାଣ ହୋଇପଡ଼ିଥିଲେ । ପ୍ରଭୁଙ୍କ ନିର୍ଦ୍ଦେଶରେ ସେ ବ୍ରହ୍ମଗିରିସ୍ଥ ଅଲାରନାଥଙ୍କ ପୀଠରେ ପହଞ୍ଚି ନାରାୟଣ ମୂର୍ତ୍ତିଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ ।
ସେଠାରେ ପଡ଼ିଥିବା ଏକ ପ୍ରସ୍ତର ଖଣ୍ଡ ଉପରେ ଦଣ୍ଡବତ ପ୍ରଣିପାତ କରିଥିଲେ । ଶ୍ରୀବିଗ୍ରହଙ୍କ ଦର୍ଶନ ନପାଇ ବିରହ ଜ୍ୱାଳାରେ ତାଙ୍କ ଶରୀର ଏତେ ଉତ୍ତପ୍ତ ହୋଇଯାଇଥିଲା ଯେ ଉକ୍ତ ପ୍ରସ୍ତର ଖଣ୍ଡକ ତାଙ୍କ ଶରୀରର ଆକାର ଅନୁଯାୟୀ ତରଳି ଯାଇଥିଲା । ଏବେ ବି ସେହି ପ୍ରସ୍ତର ଖଣ୍ଡିକ ସର୍ବାଙ୍ଗ ଶିଳା ଭାବେ ମନ୍ଦିର ପରିସରରେ ପୂଜିତ ହେଉଛି । ଶ୍ରୀଚୈତନ୍ୟ ପନ୍ଥୀ ଗୌଡ଼ୀୟ ବୈଷ୍ଣବମାନେ ଏହି ପୀଠକୁ ଆଗମନ କରି ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିବା ସହିତ ସେହି ସର୍ବାଙ୍ଗ ଶିଳାକୁ ପ୍ରଣିପାତ କରିଥାନ୍ତି । ସନାତନ ଧର୍ମାବଲମ୍ବୀମାନଙ୍କର ଏକ ପବିତ୍ର ଆଧ୍ୟାତ୍ମିକ ସ୍ଥଳୀ ଭାବେ ଏହା ଅତ୍ୟନ୍ତ ସୁପରିଚିତ ।
ଶ୍ରୀମନ୍ଦିର ଭୋଗନୀତି ପରି ଏଠାରେ ମଧ୍ୟ ଭୋଗ ଅନୁଷ୍ଠିତ ହୁଏ । ସକାଳ ୮ଟାରେ ବାଳଭୋଗ, ସକାଳ ଧୂପରେ ଅଣ୍ଡି, ଖେଚେଡ଼ି, ଡାଲି ଓ ତରକାରୀ ଭୋଗ କରାଯାଏ । ମଧ୍ୟାହ୍ନରେ କ୍ଷୀରି ଭୋଗ କରାଯାଇ ପହୁଡ଼ ପଡ଼େ । ରାତିରେ ଦହି ପଖାଳ ଓ ଭଜା ଭୋଗ କରାଯାଏ । ଶ୍ରୀଅଲାରନାଥଙ୍କ କ୍ଷୀରି ଭୋଗ ସବୁଠାରୁ ପ୍ରିୟ । ଶ୍ରୀମନ୍ଦିର ଭଳି ଏଠାରେ ପ୍ରଭୁ ଅଲାରନାଥଙ୍କ ଦୈନନ୍ଦିନ ଆଳତୀ, ଅବକାଶ, ବଲ୍ଲଭ, ଅନ୍ନଭୋଗ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ପହୁଡ଼ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ ।
ବିଶେଷ କରି ଅଣସର ସମୟରେ ଉକ୍ତ ମନ୍ଦିରରେ ଦ୍ୱାର ଫିଟା, ମଙ୍ଗଳ ଆରତୀ, ଅବକାଶ, ଅଣସର ବେଶ, ଚନ୍ଦନ ତୁଳସୀ ଲାଗି, ବଲ୍ଲଭ ଭୋଗ, ସର୍ବସାଧାରଣ ଦର୍ଶନ, ସକାଳ ଧୂପ, ଦ୍ୱିପହର ଧୂପ (କ୍ଷୀର ଭୋଗ), ଦିବା ପହୁଡ଼, ଚିଆଁ ପହୁଡ଼, ସନ୍ଧ୍ୟା ଆଳତୀ, ମଇଲମ, ଅଣସର ବେଶ, ସନ୍ଧ୍ୟା ଧୂପ, ବଡ଼ ସିଂହାର ବେଶ ଓ ତତ୍ପରେ ପହୁଡ଼ ନୀତି ହୋଇ ମନ୍ଦିର ଦ୍ୱାର ବନ୍ଦ ହୋଇଥାଏ । ଅଣସର ସମୟରେ ଭକ୍ତମାନଙ୍କର ପ୍ରବଳ ଜନସମାଗମ ହେତୁ ଅଲାରନାଥଙ୍କ କ୍ଷୀରି ପ୍ରସାଦର ଚାହିଦା ଅତ୍ୟଧିକ ହୋଇଥାଏ ।
ଏହି ସମୟରେ ପ୍ରତ୍ୟହ ମନ୍ଦିରର ରୋଷଘରେ ୫୦ହଣ୍ଡା କ୍ଷୀରି ପ୍ରସ୍ତୁତ ହୋଇଥାଏ । ଦଶ ସେର କ୍ଷୀରରେ ଏକ ହଣ୍ଡା କ୍ଷୀରି ପ୍ରସ୍ତୁତ ହୁଏ । ଏଥିରେ ଆବଶ୍ୟକ ପରିମାଣର ଚାଉଳ, ଚିନି, ଅଳେଇଚ, ଖିସ୍ ମିସ୍ ଇତ୍ୟାଦି ପକାଯାଏ । ଅଣସର ସମୟରେ ଏହି ଖିରୀ ଖାଇବାକୁ ଭକ୍ତ ମାନେ ଯେମିତି ଚାତକ ପରି ଅନେଇ ବସିଥାଆନ୍ତି ।