Sunstar TV :
ଆପଣଙ୍କୁ ଘରେ ବସି ବୋର୍ ଲାଗିଲାଣି କି । ବାହାରକୁ ବୁଲି ଯିବାକୁ ଚିନ୍ତା କରୁଛନ୍ତି । ତେବେ ଥରୁଟିଏ ଉତ୍ତରାଖଣ୍ଡ ସ୍ଥିତ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଧନଉଲଟିରେ ବୁଲି ଆସନ୍ତୁ । ଏକ ଶୈଳନିବାସ ଭାବେ ଏହା ପରିଚିତ । ସୌନ୍ଦର୍ଯ୍ୟମୟ ଉତ୍ତରାଖଣ୍ଡ ଧନଉଲଟି । ଏଠିକି ଥରେ ଗଲେ ମନ ଶାନ୍ତିରେ ଭରିଯାଏ । ସେଥିପାଇଁ ତ ଏଠି ବର୍ଷ ସାରା ଲାଗି ରହିଥାଏ ପର୍ଯ୍ୟଟକଙ୍କ ଭିଡ । ତେବେ ଖାଲି ଏଠି ବୁଲିବା ନୁହଁ ଏହାସହ ଅନେକ କ୍ରୀଡା ମଧ୍ୟ ଏଠି ଖେଳା ଯାଏ । ଆଉ ଯାହାର ଆପଣ ଭରପୁର ମଜା ଉଠାଇପାରିବେ ।
ହିଲ୍ ଷ୍ଟେସନ ଭାବେ ପରିଚିତ ଧନଉଲଟି ସାରା ଦେଶରେ ବେଶ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ପାଲଟିଛି । ଏହି ସ୍ଥାନରେ ପର୍ଯ୍ୟଟକଙ୍କ ମନକୁ ମୋହିଲା ଭଳି ଅନେକ ଦର୍ଶନୀୟ ସ୍ଥାନ ବି ଦେଖିବାକୁ ମିଳିଥାଏ। ପାହାଡ, ପର୍ବତ ଘେରା ଏହି ସ୍ଥାନରେ ମୁଖ୍ୟତଃ ଦେବଦାରୁ ଗଛ, ଡେଙ୍ଗା ଡେଙ୍ଗା ଓକ୍ ଗଛର ଜଙ୍ଗଲ ତଥା ବୁରାଂଶ ନାମକ ଏକ ସୁନ୍ଦର ଫୁଲ ଫୁଟୁଥିବା ଗଛ ଇତ୍ୟାଦି ଦେଖାଯାଏ । ଏହାବ୍ୟତୀତ ଏଠାରେ ଅନେକ ଯାଗାରେ ଘାଟି ଦେଖିବାକୁ ମିଳେ ତ ଆଉ କେଉଁଠି ମନ୍ଦିର ତଥା ଉପତ୍ୟାକାର ଶୋଭା ବେଶ୍ ଆଖିଦୃଶିଆ ହୋଇଥାଏ।
କେବେ ଓ କେମିତି ଯିବେ :
ବର୍ଷର ଯେ କୌଣସି ସମୟରେ ଏଠାକୁ ବୁଲିଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଧନଉଲ୍ଟି ଯିବାପାଇଁ ଖରାଦିନ ଓ ଶୀତଦିନ ହେଉଛି ସବୁଠୁ ଉତ୍ତମ ସମୟ । କାରଣ ଖରାଦିନେ ଏଠାକାର ତାପମାତ୍ରା ମାତ୍ର ୨୦ରୁ ୨୫ ଡିଗ୍ରୀ ସେଲ୍ସିୟସ୍ ଭିତରେ ରହିଥାଏ । ତେଣୁ ଏଠାରେ ଥକ୍କା ଲାଗେ ନାହିଁ । ଅନ୍ୟପକ୍ଷେ ଶୀତଦିନେ ଏଠାରେ ତୁଷାରପାତର ମଜା ନେବାକୁ ବି ପର୍ଯ୍ୟଟକ ଖୁବ୍ ପସନ୍ଦ କରିଥାନ୍ତି ।
ତେଣୁ ଖରାଦିନେ ଓ ଶୀତଦିନେ ଧନଉଲ୍ଟି ଯିବା ସର୍ବୋତ୍ତମ । ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି । ଦିଲ୍ଲୀଠାରୁ ମାତ୍ର ୩୨୫ କି.ମି ଦୂରରେ ରହିଥିବା ଧନଉଲ୍ଟିର ନିକଟତମ ବିମାନବନ୍ଦର ହେଉଛି ଜୋଲି ଗ୍ରାଣ୍ଟ ଏୟାରପୋର୍ଟ ଏବଂ ନିକଟତମ ରେଳଷ୍ଟେସନ ହେଉଛି ଡେରାଡୁନ୍ ରେଲଓ୍ବେଷ୍ଟେସନ । ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍ ବି ଯା’ଆସ କରିଥାଏ।
ଏଠାରେ କ’ଣ ଦେଖିବାକୁ ମିଳେ?
ଧନଉଲ୍ଟିରେ ଅମ୍ବର ଓ ଧାରା ନାମରେ ଦୁଇଟି ଇକୋ ପାର୍କ ରହିଛି । ଯେଉଁଠାରେ ମୁଖ୍ୟତଃ ଦେବଦାରୁ ଗଛର ଛୋଟ ଜଙ୍ଗଲ ଥିବାର ଦେଖିବାକୁ ମିଳେ। ଏଠାରେ ପର୍ଯ୍ୟଟକଙ୍କ ଆମୋଦ ପ୍ରମୋଦ ପାଇଁ ହର୍ସ ରାଇଡିଂ, ବର୍ମା ରୋପ୍ ବ୍ରିଜ୍ରେ ଚାଲିବା ତଥା ଓଲଟା ଭାବେ ଦଉଡ଼ିରେ ଝୁଲି ଝୁଲି ଚାଲିବାର ସୁବିଧା ଆଦି ପ୍ରଦାନ କରାଯାଇଥାଏ। ତା’ଛଡ଼ା ପର୍ଯ୍ୟଟକଙ୍କ ରହଣି ପାଇଁ ଏଠାରେ ଇକୋ ହଟ୍ର ମଧ୍ୟ ବ୍ୟବସ୍ଥା ଅଛି। ସୁରକଣ୍ଡା ଦେବୀ ମନ୍ଦିର ହେଉଛି ଏଠାକାର ଏକ ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳୀ। ସେହିପରି ପାହାଡ ପର୍ବତ ଘେରା ଏହି ଅଞ୍ଚଳରେ ପର୍ଯ୍ୟଟକ ଟ୍ରେକିଂ, କ୍ୱାଡ୍ ବାଇକିଂ, ଜିପ୍ ଲାଇନ୍ ରାଇଡ୍, ସ୍କାଏ ବ୍ରିଜ ଓ୍ବାକ୍ ଭଳି ଅନେକ ଦୁଃସାହସିକ କ୍ରୀଡ଼ାର ଭରପୂର ମଜା ନେଇ ପାରିବେ।