Sunstar TV :
ବର୍ଷାରେ ବେହାଲ ହୋଇପଡିଛି ରାଜଧାନୀ ଦିଲ୍ଲୀ ସହର । ଚାରିଆଡେ ଖାଲି ପାଣି । ଉବୁଟୁବୁ ହେଉଛି ସହର । ଭୁଶୁଡି ପଡିଛି ଛାତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀ ଗ୍ରେଟର ନୋଏଡା ସ୍ଥିତ ସୁରଜପୁର ଥାନା ଦାଦ୍ରି ତହସିଲ ଏରିଆରେ । ତେବେ ଏଭଳି ଅଘଟଣ ଘଟିଛି ଗତକାଲି ରାତିରେ । ଏହି ଘଟଣାରେ ୩ଜଣ ଶିଶୁଙ୍କ ଜୀବନ ଚାଲି ଯାଇଥିବା ବେଳେ ୫ ଜଣ ଶିଶୁଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ଅନ୍ୟପକ୍ଷରେ ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ପ୍ରଶାସନ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନାନୁସାରେ ଗତ ୨୪ ଘଣ୍ଟାର ଲଗାଣ ବର୍ଷା ଫଳରେ ଦିଲ୍ଲୀ ଓ ଏହାର ଉପକଣ୍ଠରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାରେ ୮ଜଣ ଶିଶୁ ଖେଳୁଥିବା ସମୟରେ କୋଠାଟି ଭୁଶୁଡି ପଡିଥିଲା । ଫଳରେ କଂକ୍ରିଟ୍ ଭଗ୍ନାବଶେଷ ତଳେ ଶିଶୁମାନେ ପୋତି ହୋଇପଡିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ପ୍ରଶାସନ ଓ ପୋଲିସକୁ ସୂଚନା ଦେଇଥିଲେ ।
ଉଦ୍ଧାରକାରୀ ଟିମ୍ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରୁ ୩ଜଣ ଶିଶୁଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିଲା । ୫ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ଘଟଣାସ୍ଥଳରେ ସ୍ଥାନୀୟ ଅତିରିକ୍ତ ମାଜିଷ୍ଟ୍ରେଟ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି । ପ୍ରାଥମିକ ଭାବେ ଲଗାଣ ବର୍ଷା କାରଣରୁ ମୂଳଦୁଆ ଦୁର୍ବଳ ହୋଇ କୋଠାଟି ଭୁଶୁଡି ପଡିଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛି । ୧୯୩୬ ମସିହା ପରେ ଦିଲ୍ଲୀରେ ୨୪ ଘଣ୍ଟାରେ ଏହା ହେଉଛି ସର୍ବକାଳୀନ ବର୍ଷା ରେକର୍ଡ । ଏବେ ସୁଦ୍ଧା ଏହି ଟର୍ମିନାଲ କାର୍ଯ୍ୟକ୍ଷମ ହୋଇନଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି ।