Sunstar TV :
ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଏହାପରେ ଆରମ୍ଭ ହୋଇଯିବ ଟି-୨୦ ବିଶ୍ବକପର ଫାଇନାଲ ଫାଇଟ । ଟ୍ରଫି ହାତେଇବା ପାଇଁ ହେବ ଜୋରଦାର ଲଢେଇ । ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଆଜିର ମ୍ୟାଚରେ ବର୍ଷା ଭିଲିଆନ ସାଜିପାରେ । ମ୍ୟାଚ ସମୟରେ ଯଦି ବର୍ଷା ହୁଏ ତେବେ କ’ଣ ହେବ ଫଳାଫଳ ?
ବର୍ଷା ହେଲେ ରିଜର୍ଭ ଡେ’ରେ ହେବ ମ୍ୟାଚ :
ୱେଷ୍ଟଇଣ୍ଡିଜର କେସିଂଟନ ଓଭାଲରେ ରାତି ୮ଟାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ । ଫାଇନାଲ ଫାଇଟରେ ବର୍ଷା ହେବା ନେଇ ଆଶଙ୍କା ରହିଛି । ବାରବାଡୋସର ବ୍ରିଜ୍ ଟାଉନରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସାଙ୍ଗରେ ପ୍ରବଳ ବେଗରେ ପବନ ହେବା ନେଇ ଆଶଙ୍କା କରାଯାଉଛି । ସେହିପରି ରାତି ସମୟରେ ବର୍ଷା ହେବାର ୮୭ ପ୍ରତିଶତ ସମ୍ଭାବନା ରହିଛି ।
ଯଦି ବର୍ଷା ହୁଏ ତେବେ ୩୦ ତାରିଖକୁ ରିଜର୍ଭ-ଡେ ରଖାଯାଇଛି । ଆସନ୍ତାକାଲି ୬୧ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ବର୍ଷା ଯୋଗୁଁ ମ୍ୟାଚ ଖେଳିବା ସମ୍ଭବ ନହୁଏ ତେବେ ଦୁଇ ଦଳକୁ ଯୁଗ୍ମ ବିଜେତା ଭାବେ ଘୋଷଣା କରାଯିବ । ପ୍ରଥମ ଥର ଲାଗି ଟି-୨୦ ବିଶ୍ବକପରେ ଅପରାଜେୟ ବିଜେତା ଦେଖିବ ପୁରା ବିଶ୍ବ ।
ଗ୍ରୁପ ହେଉ କି ସୁପର ୮ ପର୍ଯ୍ୟାୟରେ ବିନା ପରାଜୟରେ ଫାଇନାଲରେ ପହଞ୍ଚି ଟ୍ରଫି ହାତେଇବାର ପ୍ରଥମ ଘଟଣା ହେବ । ଭାରତ ଓ ଦକ୍ଷିଣ ଆଫ୍ରିକା ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଫାଇନାଲରେ ପ୍ରବେଶ କରିଛନ୍ତି ଦୁଇ ଦଳ । ଟି-୨୦ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୋଟ ୨୬ ଥର ମୁହାଁମୁହିଁ ହୋଇଛନ୍ତି । ଟିମ ଇଣ୍ଡିଆ ୧୪ଟିରେ ବିଜୟୀ ହୋଇଥିବା ବେଳେ ୧୧ଟିରେ ଦକ୍ଷିଣ ଆଫ୍ରିକା ବିଜେତା ହୋଇଛି । ତେଣୁ ଆଜିର ମ୍ୟାଚ ମେନ ଇନ ବ୍ଲୁର ପଲ୍ଲା ଭାରି ରହିବା ନେଇ ଆକଳନ କରାଯାଉଛି ।