SunstarTV
ରାଜ୍ୟର ଦେଖିବାକୁ ମିଳୁଛି ବର୍ଷାର ଲହରୀ। ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପାଇଁ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗତ ୩ ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଏହି ଘୂର୍ଣ୍ଣିବଳୟଟି ୩ ଦିନ ହେବ ସକ୍ରିୟ ରହିଥିବା ବେଳେ ସମ୍ଭବତଃ ୨୮ ତାରିଖରେ ଏହା ପ୍ରଭାବରେ ଏକ ଦୁର୍ବଳ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯଦି ଏହି ଲଘୁଚାପ ସୃଷ୍ଟି ହୁଏ ତେବେ ଆଉ ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଗୁରୁବାର ରାଜଧାନୀ ସମେତ ଉପକୂଳ ଓ ଆଭ୍ୟନ୍ତରିଣ ଓଡ଼ିଶାରେ ମଧ୍ୟ ବର୍ଷା ଲାଗି ରହିଥିଲା । ସୂଚନାମୁତାବକ ଗତ ୩୬ ଘଣ୍ଟା ମଧ୍ୟରେ ନବରଙ୍ଗପୁରରେ ୮୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ପାରଳାଖେମୁଣ୍ଡିରେ ୬୯, ମାଲକାନଗିରି ୭୦, କୋରାପୁଟ ୬୫, ଖୋର୍ଦ୍ଧା ୪୬, ଭୁବନେଶ୍ୱର ୨୮ ଓ କଟକରେ ୧୬ ମିମି ବର୍ଷା ରେକର୍ଡ ହୋଇଛି।
ଶୁକ୍ରବାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କେନ୍ଦ୍ର କହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତିଙ୍କ କହିବା ଅନୁସାରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ରହିଛି।