Sunstar Tv
Lok Sabha Speaker: ବାଚସ୍ପତି ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସିରୁ INDIA ମେଣ୍ଟ ପାଇଁ ଆଶ୍ବସ୍ତିକର ଖବର ଆସିଛି। ବିରୋଧୀ ଦଳର ବାଚସ୍ପତି ପ୍ରାର୍ଥୀ କେ ସୁରେଶଙ୍କୁ ସମର୍ଥନ କରିବ ବୋଲି ଟିଏମସି ସ୍ପଷ୍ଟ କରିଛି।
ବାସ୍ତବରେ, ପୂର୍ବରୁ ଟିଏମସି ନେତା ଅଭିଷେକ ବାନାର୍ଜୀ କହିଥିଲେ ଯେ, ତାଙ୍କ ଦଳର ପରାମର୍ଶ ନକରି କଂଗ୍ରେସ କୋଡିକୁନିଲ ସୁରେଶଙ୍କୁ ପ୍ରାର୍ଥୀ କରିଛି।
ତେବେ କେନ୍ଦ୍ର ସରକାର ବାଚସ୍ପତି ପଦ ପାଇଁ ବିରୋଧୀଙ୍କ ସମର୍ଥନ ଲୋଡିଥିଲେ। କିନ୍ତୁ ଉପ ବାଚସ୍ପତି ପଦ ପାଇଁ ବିରୋଧୀ ଦାବି କରୁଥିଲେ।
ଏଭଳି ପରିସ୍ଥିତିରେ ଦୁଇ ଦଳ ମଧ୍ୟରେ କୌଣସି ସହମତି ହୋଇପାରି ନଥିଲା ଏବଂ ‘INDIA’ ମେଣ୍ଟ ବାଚସ୍ପତି ପଦ ପାଇଁ ଓମ ବିର୍ଲାଙ୍କ ବିରୋଧରେ ସୁରେଶଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିଲା।
କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ କହିଛନ୍ତି ଯେ, ପରମ୍ପରା ଅନୁଯାୟୀ ଲୋକସଭା ଉପ ବାଚସ୍ପତି ପଦବୀ ବିରୋଧୀ ଦଳକୁ ଯିବା ଉଚିତ୍ ଏବଂ ଯଦି ସରକାର ଏଥିରେ ସହମତ ହୁଅନ୍ତି, ତେବେ ସେମାନେ ବାଚସ୍ପତି ପଦ ପାଇଁ ସରକାରଙ୍କୁ ସମର୍ଥନ କରିବେ।
କେ. ସୁରେଶଙ୍କ ପ୍ରାର୍ଥୀପତ୍ର ଉପରେ ମମତା ବାନାର୍ଜୀଙ୍କ ପୁତୁରା ଏବଂ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଥିଲେ। ସେ କହିଥିଲେ ଯେ, ଆମ ସହିତ କେହି ଯୋଗାଯୋଗ କରିନାହାଁନ୍ତି। କୌଣସି ଆଲୋଚନା ହୋଇନଥିଲା, ଦୁର୍ଭାଗ୍ୟବଶତଃ ଏହା ଏକପାଖିଆ ନିଷ୍ପତ୍ତି।
ତେବେ ମଙ୍ଗଳବାର ସନ୍ଧ୍ୟାରେ ଟିଏମସି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ଅନୁଷ୍ଠିତ ବୈଠକରେ ଭାଗ ନେଇଥିଲା।
ଏହି ବୈଠକରେ ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବ, ତୃଣମୂଳ କଂଗ୍ରେସ ନେତା ଡେରେକ ଓ’ବ୍ରାଇନ୍, ଶିବସେନା (ୟୁବିଟି) ନେତା ଅରବିନ୍ଦ ସାୱନ୍ତ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର) ନେତା ସୁପ୍ରିୟା ସୁଲେ, ଡିଏମକେ ନେତା ଟିଆର ବାଲୁ ଏବଂ ଅନ୍ୟାନ୍ୟ ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ।
ସୂଚନାନୁସାରେ, ଅଭିଷେକ ବାନାର୍ଜୀଙ୍କ ଏହି ବୟାନ ପରେ ରାହୁଲ ଗାନ୍ଧି ନିଜେ ମମତା ବାନାର୍ଜୀଙ୍କ ସହ କଥା ହୋଇଥିଲେ ଏବଂ ବାଚସ୍ପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ କେ ସୁରେଶଙ୍କୁ ସମର୍ଥନ କରିବାକୁ ନିବେଦନ କରିଥିଲେ। ମମତା ବାନାର୍ଜୀ ଏଥିରେ ରାଜି ହୋଇଥିଲେ।