Sunstar TV :
ଓଡିଆ ଘରେ ଯେଉଁ ଭାଗବତ ପଢାଯାଏ ତାର ସ୍ରଷ୍ଟା ହେଉଁ ଛନ୍ତି ଜଗନ୍ନାଥଙ୍କ ପରମ ଭକ୍ତ ଜଗନ୍ନାଥ ଦାସ । ୧୪୯୦ ମସିହା ଭାଦ୍ରବ ମାସ ଶୁକ୍ଳ ପକ୍ଷ ରାଧାଷ୍ଟମୀ ଦିନ ପୁରୀ ସ୍ଥିତ କପିଳେଶ୍ୱରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଭଗବାନ ଓ ମାତାଙ୍କ ନାମ ପଦ୍ମାବତୀ ଦେବୀ। ବାଲ୍ୟକାଳରୁ ଜଗନ୍ନାଥ ଦାସଙ୍କ ମନରେ ଭକ୍ତିଭାବ ଅଙ୍କୁରିତ ହୋଇଥିଲା। ସଂସ୍କୃତ ଭାଷା ପ୍ରତି ତାଙ୍କର ଖୁବ୍ ଆଗ୍ରହ ରହିଥିଲା। ତାଙ୍କର ଦୀକ୍ଷାଗୁରୁ ଥିଲେ ବଳରାମ ଦାସ। ଭଗବାନଙ୍କ ଭକ୍ତି ପ୍ରତି ପ୍ରେରିତ ହୋଇ ସେ ୧୯ ବର୍ଷ ବୟସରେ ଗୃହତ୍ୟାଗ କରିଥିଲେ। ଶ୍ରୀମନ୍ଦିରରେ ପ୍ରତିଦିନ ଭାଗବତ ପାଠର ବ୍ୟବସ୍ଥା ରାଜା କପିଳେନ୍ଦ୍ରଦେବ କରାଇଥିଲେ। ପ୍ରଥମେ ଅତିବଡ଼ି ଜଗନ୍ନାଥଙ୍କ ପିତା ଭଗବାନ ସେଠାରେ ଭାଗବତ ପାଠ କରୁଥିବା ବେଳେ ତାଙ୍କ ଅନ୍ତେ ଜଗନ୍ନାଥ ଏହି କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। ଥରେ ଜଗନ୍ନାଥ ଦାସ ଦେଖିଲେ ସେ ଭାଗବତ ତ ପଢୁଛନ୍ତି ହେଲେ ତାଙ୍କ ମା’ ମଧ୍ୟ ତାର ଗୁଢ ରହସ୍ୟକୁ ବୁଝିପାରୁ ନାହାଁନ୍ତି ।
ତେଣୁ ଅନ୍ୟ ଲୋକେ ମଧ୍ୟ ବୁଝିବାରେ ଅସୁବିଧା ହେଉଥିବ ବିଚାର କରି ତାର ସରଳିକରଣ କଥା ଚିନ୍ତା କରିଲେ । ହେଲେ ସେ କେମିତି ଆରମ୍ଭ କରିବେ କେଉଁଠୁ ଆରମ୍ଭ କରିବେ ଚିନ୍ତାରେ ପଡିଲେ । ତାଙ୍କୁ ଜଗନ୍ନାଥ ନିଜେ ସ୍ମରଣ ହେଲେ । ତାର ମୌଳିକତାକୁ ବଜାୟ ରଖି କିପରି ଏହାକୁ କରାଯାଇ ପାରିବ ସେ ଲାଗି ପ୍ରୟାସ କଲେ ।
ଅତି ସରଳ ଓ ପ୍ରାଞ୍ଜଳ ଭାବରେ ଓଡ଼ିଆରେ ଅନୁବାଦ କରିଥିଲେ। ଯାହାକି ପରବର୍ତ୍ତୀ ସମୟରେ ଘରେ ଘରେ ଲୋକାଦୃତ ହୋଇପାରିଥିଲା। ତେଣୁ ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଦାସ ହେଉଛନ୍ତି ଜଣେ ଅମର ସ୍ରଷ୍ଟା। ଓଡ଼ିଆ ଜାତି ପାଇଁ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏକ ଶ୍ରେଷ୍ଠ ଅବଦାନ। ତାଙ୍କ ରଚିତ ଭାଗବତ ଓଡ଼ିଶାର ଘରେ ଘରେ ଆଦୃତ। ଏକାଧାରରେ ସେଥିଲେ ଧର୍ମପ୍ରଚାରକ, ସମାଜସଂସ୍କାରକ, ପରମ ବୈଷ୍ଣବ ଏବଂ ମହାକବି।
୧୫୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ପୁରୀ ଧାମ୍କୁ ଆସି ଜଗନ୍ନାଥ ଦାସଙ୍କ ମନରେ ଈଶ୍ୱରୀୟ ଭକ୍ତି ଭାବନା ଦେଖି ଅତ୍ୟନ୍ତ ବିମୋହିତ ହୋଇଯାଇଥିଲେ। ଜଗନ୍ନାଥ ଦାସଙ୍କ ପାଣ୍ଡିତ୍ୟ ଏବଂ କବି ପ୍ରତିଭା ଦେଖି ଚୈତନ୍ୟ ତାଙ୍କୁ ‘ଅତିବଡ଼ୀ’ ବୋଲି ସମ୍ବୋଧନ କରିଥିଲେ। ବଳରାମ, ଅଚ୍ୟୁତାନନ୍ଦ, ଯଶୋବନ୍ତ ଓ ଶିଶୁଅନନ୍ତ ଆଦି ଉତ୍କଳୀୟ ବୈଷ୍ଣବମାନଙ୍କ ସହିତ ଜଗନ୍ନାଥ ଦାସଙ୍କ ନିବିଡ଼ ସମ୍ବନ୍ଧ ରହିଥିଲା। ଓଡ଼ିଆ ସାହିତ୍ୟ ଇତିହାସରେ ଏହି ୫ଜଣ ସାଧକଙ୍କୁ ପଞ୍ଚସଖା ବୋଲି କୁହାଯାଇଛି ।
ଓଡ଼ିଆ ଭାଗବତ ବ୍ୟତୀତ ଜଗନ୍ନାଥ ଦାସଙ୍କର ଆଉ କେତେକ ଜଣାଶୁଣା ରଚନା ହେଉଛି -ତୁଳାଭିଣା, ଅର୍ଥ କୋଇଲି, ଦାରୁବ୍ରହ୍ମ ଗୀତା, ମୃଗୁଣୀ ସ୍ତୁତି, ଗଜ ସ୍ତୁତି, ଦୂତୀବୋଧ, କ୍ଷେତ୍ରବର ଚଉତିଶା, ଗୁପ୍ତ ଭାଗବତ, ରାଧା ମଞ୍ଜରୀ, ଷୋଳ ଚଉପଦୀ, ପାଷାଣ୍ଡ ଦଳନ, ମନଶିକ୍ଷା, ରାସକ୍ରୀଡ଼ା, ଜଗନ୍ନାଥକାରିକା, ଧ୍ରୁବଚରିତ, ଗୁଣ୍ଡିଚାବିଜେ, ସତ୍ସଙ୍ଗ ଓ ଶ୍ରୀନାମଚନ୍ଦ୍ରିକା ଇତ୍ୟାଦି।
ସେ ମହାଭାରତ ଓ ରାମାୟଣ ମଧ୍ୟ ରଚନା କରିଥିଲେ। ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ହୃଦୟରେ ଭକ୍ତିଭାବର ସଞ୍ଚାର ପାଇଁ ସେ ଅନେକ ପୁସ୍ତକ ଲେଖିଯାଇଛନ୍ତି।ସମୁଦ୍ର କୂଳରେ ଥିବା ସାତଲହରୀ ମଠରେ ଅତିବଡ଼ିଙ୍କ ସମାଧି ପୀଠ ରହିଛି।