Sunstar TV :
ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି । ୧୦୮ ଗରା ଜଳରେ ସ୍ନାନ କରୁଛନ୍ତି ଭାଇ, ଭଉଣୀଙ୍କ ସହ ମହାବାହୁ । ଲାଗିଛି ଭକ୍ତଙ୍କ ଗହଳି, ପଡୁଛି ହୁଳହୁଳି । ବାଜୁଛି ଘଣ୍ଟା କାରଣ ଆଜି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ ବିରାଜମାନ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ସ୍ନାନ ମଣ୍ଡପରେ ଅଲୌକିକ ଲୀଲା ଦେଖିବେ ଭକ୍ତ । ଆଉ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଏଭଳି ଲୀଳା ଦେଖିବା ପାଇଁ ରାଜ୍ୟ, ଦେଶ ଓ ବିଦେଶରୁ ଛୁଟିଛି ଭକ୍ତଙ୍କ ସୂଅ । ଆଜିର ଦିନରେ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଇଛି ।
ବର୍ଷକେ ଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି । ଆଉ ଅନ୍ୟ ଦିନରେ ମହାପ୍ରଭୁଙ୍କର ମନ୍ତ୍ରସ୍ନାନ କରାଯାଏ । ଏହା ରଥଯାତ୍ରା ପୂର୍ବରୁ ପାଳିତ ହେଉଥିବା ଏକ ପୂଜା ବିଧି । ତେବେ ଏହି ସ୍ନାନ ପୂର୍ଣ୍ଣିମା ହେବା ପୂର୍ବରୁ ଅର୍ଥାତ ପୂର୍ବଦିନରୁ ମହାପ୍ରଭୁଙ୍କ ପାଇଁ ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଆଉ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ପରେ ଗଜାନନବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହାପରେ ଶ୍ରୀଜୀଉଙ୍କ ଅଣସର ନୀତି ପାଳନ ହୁଏ। ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଅତ୍ୟଧିକ ସ୍ନାନ କରିବା ହେତୁ ଜ୍ୱରରେ ପଡନ୍ତି ବୋଲି ବିଶ୍ବାସ ରହିଛି । ଏହାପରେ ଚତୁର୍ଦ୍ଧା ମୂର୍ତ୍ତି ରୁହନ୍ତି ଅଣସରରେ । ଯେଉଁ ଗୃହରେ ଦାରୁ ବିଗ୍ରହମାନେ ରୁହନ୍ତି ତାହାକୁ ଅନବସର ବା ଅଣସର ଗୃହ କୁହାଯାଏ। ଏଠାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା କରାଯାଏ।
ପାଠକ ବନ୍ଧୁ ଜାଣି ରଖନ୍ତୁ ଅଣସର ଦୁଇ ଭାଗରେ ବିଭକ୍ତ । ଗୋଟିଏ କେବଳ ଅଣସର ଓ ଅନ୍ୟଟି ମହାଅଣସର ବା ମହାଅନବସର। ନବକଳେବର ସମୟରେ ହେଉଥିବା ବିଧିକୁ ମହାଅନବସର କୁହାଯାଏ । କିନ୍ତୁ ପ୍ରତିବର୍ଷ ହେଉଥିବା ବିଧିକୁ ‘ଅଣସର’ କୁହାଯାଏ। ତେବେ ଆଜିଠୁ ୧୫ଦିନ ଅଣସରରେ ରୁହନ୍ତି ଚତୁର୍ଦ୍ଧା ମୂର୍ତ୍ତି । ବିଚିତ୍ର ଠାକୁର କାଳିଆ ଗୋସେଁଇ। ଅଜବ ତାଙ୍କର ନୀତିକାନ୍ତି। ସବୁକିଛି ମାନବ ପରି । ତାଙ୍କର ଏହି ସ୍ନାନ ପୂର୍ଣ୍ଣିମା ପରମ୍ପରା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଭାବବିହ୍ୱଳ କରିଦିଏ । ଜ୍ୟେଷ୍ଠ ମାସର ଆଜିର ଦିନକୁ ସ୍ନାନ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ବୋଲି କୁହାଯାଏ । ଏହି ଦିନ ରତ୍ନବେଦୀ ଛାଡି ସ୍ନାନବେଦୀକୁ ବିଜେ କରିଥାନ୍ତି ଶ୍ରୀଜିଉ ।
ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା ଆସିଥାନ୍ତି। ଶେଷରେ ସ୍ନାନ ମଣ୍ଡପକୁ ବିଜେ କରିଥାନ୍ତି ସମସ୍ତଙ୍କ ପ୍ରିୟ ଠାକୁର କାଳିଆ ସାଆନ୍ତ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ବା ବ୍ରାହ୍ମଣ ଗୋଷ୍ଠୀର ସେବକମାନେ ବିଜେ କରାଇଥାନ୍ତି । ପହଣ୍ଡି ବିଜେ ସମୟରେ ସାତ ପାହାଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି । ସମସ୍ତ ସ୍ନାନ ଉପଚାର ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି।
ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବା ପରେ ତାଟି ବନ୍ଧାଯାଏ ଓ ପଟିମୂର୍ତ୍ତି ସ୍ଥାପନା କରାଯାଏ। ତା’ପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ୟ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି। ଏହାକୁ ଅଣସର କୁହାଯାଏ। ଏହି ୧୫ ଦିନ ଭକ୍ତମାନେ ଶ୍ରୀଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି।
କିପରି ହୁଏ ସ୍ନାନ ନୀତି:
ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତି ହୋଇଥାଏ। ଏହା ପରେ କିଛି ସମୟ ପାଇଁ ପହୁଡ଼ ପଡେ ଓ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ। ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି । ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ। ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ।
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ବା ବ୍ରାହ୍ମଣ ଗୋଷ୍ଠୀର ସେବକମାନେ ବିଜେ କରାଇଥାନ୍ତି। ପହଣ୍ଡି ବିଜେ ସମୟରେ ସାତ ପାହାଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି। ଏହା ପରେ ଦ୍ୱିତୀୟ ମଙ୍ଗଳାର୍ପଣ, ତା’ ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ନାଗି କରାଯାଏ। ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ଅବସ୍ଥାନ କରନ୍ତି। ସୁଆର ବଡୁ ଅମ୍ଭୂଣିଆ ପାଣି ଛିଞ୍ଚନ୍ତି। ଗରାବଡୁ ସୁବର୍ଣ୍ଣକଳସ ଧରି ଶିତଳାଦେବୀଙ୍କ ସମ୍ମୁଖସ୍ଥ ସ୍ୱର୍ଣ୍ଣକୂପ ଯାହା କେବେ ବି ବ୍ୟବହୃତ ହୋଇ ନଥାଏରୁ ଜଳ ଆଣନ୍ତି।
ଏହି କୂଅର ବ୍ୟବହାର ବର୍ଷସାରା ନ ଥିବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ। ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥିବା ବେଳେ ସ୍ନାନ କାଳରେ ତାନ୍ତ୍ରିକ ବିଧିରେ ୧୩ଟି ପଦାର୍ଥ ମିଶ୍ରଣ କରାଯାଏ। ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରଣୀତାକୂପ’ ବୋଲି କୁହାଯାଏ। ଅଭିମନ୍ତ୍ରିତ ଜଳରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀଓ ଲୋଧା ମିଶ୍ରଣ କରାଯାଏ ।
ଏହି ମହୌଷଧି ମିଶ୍ରଣ ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହ୍ମଙ୍କୁ ସ୍ନାନ କରାଯାଏ। ଏହି ଜଳରୁ ୩୫ ଗରାରେ ଜଗନ୍ନାଥଙ୍କୁ, ୩୩ ଗରାରେ ବଳଭଦ୍ରଙ୍କୁ, ୨୨ ଗରାରେ ସୁଭଦ୍ରାଙ୍କୁ ଓ ୧୮ ଗରାରେ ସୁଦର୍ଶନଙ୍କୁ ସ୍ନାନ କରାଯାଏ। ଏହାକୁ “ପ୍ରତ୍ୟେକ୍ଷ ଅବକାଶ” କହନ୍ତି। ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ। ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ। ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ଶୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ। ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ।
ସମସ୍ତ ସ୍ନାନ ଉପଚାର ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବା ପରେ ତାଟି ବନ୍ଧାଯାଏ ଓ ପଟିମୂର୍ତ୍ତି ସ୍ଥାପନା କରାଯାଏ। ତା’ପରେ ଏହି ଚତୁର୍ଦ୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି। ଏହାକୁ ଅଣସର କୁହାଯାଏ। ଏହି ୧୫ ଦିନ ଭକ୍ତମାନେ ଶ୍ରୀଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି।