Sunstar TV :
ବଲିଉଡର ପ୍ରସିଦ୍ଧ ଅଭିନେତା ଅନୁପମ ଖେରଙ୍କ ଅଫିସରେ ଚୋରି । ବୁଧବାର ରାତିରେ ତାଲା ଭାଙ୍ଗି କଳାକନା ବୁଲାଇଲେ ଚୋର । ଚୋରମାନେ ଅଭିନେତାଙ୍କ କାର୍ଯ୍ୟାଳୟରୁ କିଛି ନଗଦ ଟଙ୍କା ଏବଂ ଚଳଚ୍ଚିତ୍ରର କିଛି ସାମଗ୍ରୀ ମଧ୍ୟ ଚୋରି କରିଛନ୍ତି । ଅଭିନେତା ନିଜେ ଏକ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଏହି ଚୋରି ମୁମ୍ୱାଇ ସ୍ଥିତ ଭେରା ଦେଶାଇ ରୋଡରେ ଥିବା ତାଙ୍କ କାର୍ଯ୍ୟାଳୟରେ ଘଟିଥିଲା । ଏହି ଅଭିନେତା ଚୋରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଅଭିନେତା ଅନୁପମ ଖେରଙ୍କ କାର୍ଯ୍ୟାଳୟରୁ ପ୍ରାୟ ୪.୧୫ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଛି ।
ଏନେଇ ଗୁରୁବାର ମୁମ୍ବାଇ ପୋଲିସ ଏକ ଏଫଆଇଆର ପଞ୍ଜିକରଣ କରିଛି । ବୁଧବାର ରାତି ୯ଟାରେ ଖେରଙ୍କ କର୍ମଚାରୀମାନେ କାର୍ଯ୍ୟାଳୟ ବନ୍ଦ କରିଦେଇଥିଲେ ଏବଂ ଗୁରୁବାର ସକାଳେ ସେମାନେ ଅଫିସ୍ ଖୋଲିବାକୁ ଆସିଥିବା ବେଳେ ସେମାନେ ଏହି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ସେପଟେ ଚୋରି ଘଟଣା ବର୍ଣ୍ଣନା କରି ଅନୁପମ ଖେର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ।
ଏହାକୁ ନେଇ ଅନୁପମ କହିଛନ୍ତି , “ଗତକାଲି ରାତିରେ ଭେରା ଦେଶାଇ ରୋଡରେ ଥିବା ଦୁଇଜଣ ଚୋର ଦୁଇଟି କବାଟ ଭାଙ୍ଗି ମୋ ଅଫିସରେ ପଶିଥିଲେ । କିନ୍ତୁ ସେ ଏକ ବାକ୍ସରେ ଥିବା ଏକ ଚଳଚ୍ଚିତ୍ରର ନେଗେଟିଭ୍ସ ଚୋରି କରି ନେଇଯାଇଛନ୍ତି । ଏନେଇ ମାମଲା ରୁଜୁ କରିଛି । ଚୋରମାନେ ଖୁବ୍ ଶୀଘ୍ର ଧରାଯିବ ବୋଲି ପୋଲିସ ନିଶ୍ଚିତ କରିଛି । କାରଣ ଉଭୟ ସିସିଟିଭି କ୍ୟାମେରାରେ ନଜର ଆସିଛନ୍ତି ।
ତେବେ “ଅନୁପମ ଖେରଙ୍କ ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ, ସେ ଫିଲ୍ମ ‘ମେନେ ଗାନ୍ଧୀକୋ କ୍ୟୁଁ ମାରା’ ଉପରେ କାମ କରୁଛନ୍ତି । ଏଥିସହ ସେ ବର୍ତ୍ତମାନ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’ରେ ନଜର ଆସିବେ । ଏହା ବ୍ୟତୀତ ଅନୁପମ ୨୦ବର୍ଷ ପରେ ନିର୍ଦ୍ଦେଶନାକୁ ଫେରୁଛନ୍ତି । ସୂଚନାଯୋଗ୍ୟ ଯେ ଅନୁପମ ଖେର ‘ତନଭି ଦି ଗ୍ରେଟ’ ଫିଲ୍ମ ସହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ।