Sunstar TV :
ଦିନକୁ ଦିନ ଶୋଚନୀୟ ହୋଇପଡୁଛି ତାମିଲନାଡୁର ସ୍ଥିତି । ବଢୁଛି ମଦ ମୃତ୍ୟୁର ସଂଖ୍ୟା । ଆଉ ଯାହାକୁ ନେଇ ହଇଚଇ ସୃଷ୍ଟି କରିଛି ପୁରା ଦେଶରେ । ପ୍ରତ୍ୟେକ ଦିନ ତାମିଲନାଡୁରେ ଗଡୁଛି ମଦ୍ୟପ ବ୍ୟକ୍ତିଙ୍କ ମୁଣ୍ଡ । ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୮ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ୨୦ ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଏବେ ବି ସ୍ଥିତି ସଙ୍ଗିନୀ ରହିଛି । ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମସ୍ତ ଗୁରୁତରଙ୍କୁ କଲ୍ଲାକୁର୍ଚ୍ଚି ଜିଲ୍ଲାପାଳ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ତାମିଲନାଡୁ ସରକାର ମୃତକଙ୍କ ପରିବାର ଲାଗି ୧୦ ଲକ୍ଷ ଓ ଚିକିତ୍ସାଧୀନ ଥିବା ରୋଗୀଙ୍କ ଲାଗି ୫୦ହଜାର ଟଙ୍କା ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି ।
ସେ ଏକ୍ସରେ ଟ୍ବିଟ କରି କହିଛନ୍ତି, ”କଲ୍ଲାକୁର୍ଚ୍ଚିରେ ହୋଇଥିବା ମଦ ମୃତ୍ୟୁ ଘଟଣାରେ ମୁଁ ଦୁଃଖିତ । ମଦ ମୃତ୍ୟୁ ଘଟଣାରେ ଯେଉଁ ମାନେ ବି ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାକୁ ରୋକିବାରେ ବିଫଳ ହୋଇଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।
ସମାଜକୁ ଖରାପ ବାର୍ତ୍ତା ହେଉଥିବା ଏପରି ଅପରାଧକୁ ଦମନ କରାଯିବ । ”ରାଜ୍ୟପାଳ ଆର.ଏନ୍ ରବି ମୃତକଙ୍କ ପରିବାରକୁ ସମବେଦନା ଜଣାଇ ପୀଡିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି, “ବିଷାକ୍ତ ମଦ ପାନ କରି ଅନେକ ଲୋକଙ୍କ ଜୀବନ ଯିବା ଖବର ଶୁଣି ମୁଁ ଦୁଃଖିତ । ଅନେକ ଗୁରୁତର ସେମାନଙ୍କ ଜୀବନ ସହ ସଂଗ୍ରାମ କରୁଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ” ଗତକାଲି ସନ୍ଧ୍ୟାରେ ତାମିଲନାଡୁରେ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।