Sunstar TV :
ଅସମ୍ଭାଳ ହେଉଛି ତାତି । ଅସ୍ତବ୍ୟସ୍ତ ହେଉଛି ଜନସାଧାରଣଙ୍କ ଜୀବନ । ଜଳୁଛି ରାସ୍ତାଘାଟ, ତାତୁଛି ଘର ଠୁ ଦୁଆର । ଓଃ କି ଗରମ । ସନ୍ଧ୍ୟା ୫ଟା ପରେ ବି ରାସ୍ତାରୁ ଉଠୁଛି ଗରମ ବାମ୍ଫ । ସକାଳ ୬ଟାରୁ ଖରାର ପ୍ରକୋପରେ ଜଳୁଛି ରାସ୍ତାଘାଟ । ତେବେ ଏଭଳି ଗରମ ଅନୁଭବ ହୋଇଛି ରାଜଧାନୀ ଦିଲ୍ଲୀରେ । ଏଠାରେ ଗରମ କମିବା ବଦଳରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି ।
ଅସହ୍ୟ ତାତି ଓ ତତଲା ପବନରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ତେବେ ଏହାରି ଭିତରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତେବେ ଗତ ୯ଦିନ ମଧ୍ୟରେ ୧୯୦ବାସହୀନଙ୍କ ଜୀବନ ଯାଇଥିବା ସେଣ୍ଟର ଫର ହୋଲିଷ୍ଟିକ୍ ଡେଭଲପମେଣ୍ଟ ରିପୋର୍ଟରୁ ପ୍ରକାଶ। ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି। ଅସହ୍ୟ ଗରମ ଓ ଲୁ’ ପାଇଁ ପାଣିପାଗ ବିଭାଗ ରାଜଧାନୀ ଦିଲ୍ଲୀରେ ରେଡ୍ ଆଲର୍ଟ ଜାରି କରିଛି ।
ଡାକ୍ତରଖାନାରେ ଅଂଶୁଘାତରେ ପୀଡିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସେପଟେ, ପ୍ରବଳ ଉତ୍ତାପ କାରଣରୁ ଗତ ୭୨ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ସ୍ୱାସ୍ଥ୍ୟ ବିଭାଗ ସୂତ୍ର ସୂଚନା ଅନୁସାରେ, ନୋଏଡାରେ ଗୋଟିଏ ଦିନରେ ୧୪ ଜଣଙ୍କର ଅଂଶୁଘାତ କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।