Sunstar TV :
ରାଜ୍ୟ ଠୁ ନେଇ ଦେଶ, ଦେଶ ଠୁ ନେଇ ବିଦେଶ । ସବୁଠି ପ୍ରଚଣ୍ଡ ଉତ୍ତାପ । ଆଉ ଯେଉଁଥିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ତେବେ ପ୍ରଚଣ୍ଡ ଉତ୍ତାପ ଯୋଗୁଁ ଚାଲିଥିବା ହଜ୍ ଯାତ୍ରାରେ ୫୫୦ରୁ ଊର୍ଦ୍ଧ୍ବ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ କେବଳ ଇଜିପ୍ଟର ୩୨୩ ବ୍ୟକ୍ତି ରହିଥିବା ସୂଚନା ମିଳିଛି ।
ଅସୁସ୍ଥଙ୍କ ମଧ୍ୟରୁ ଅନେକଙ୍କୁ ମକ୍କାର ଅଲ-ମୁଆସିଅମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜୋର୍ଡାନର ୬୦ ଜଣ ରହିଛନ୍ତି । ଇସଲାମ ଧର୍ମରେ ସବୁଠାରୁ ପବିତ୍ର ସ୍ଥଳ ହେଉଛି ସାଉଦିଆରବର ମକ୍କା । ଏହା ସହ ଇସଲାମ ଧର୍ମର ପାଞ୍ଚ ଧାର୍ମିକ ସ୍ତମ୍ଭ ମଧ୍ୟରୁ ହଜ ହେଉଛି ଅନ୍ୟତମ।
ମକ୍କାର ଗ୍ରାଣ୍ଡ ମସଜିଦରେ ତାପମାତ୍ରା ପ୍ରାୟ ୫୨ ଡିଗ୍ରୀ ହୋଇଥିବା ବେଳେ ସାମାନ୍ୟ ଦଳାଚକଟା ଓ ଅତ୍ୟଧିକ ଭିଡ କାରଣରୁ ଭକ୍ତମାନେ ପ୍ରାଣ ହରାଇଥିବା ସୂଚନା ମିଳିଛି । ତାପମାତ୍ରା ବୃଦ୍ଧି କାରଣରୁ ୨ ହଜାର ଶ୍ରଦ୍ଧାଳୁ ପ୍ରଭାବିତ ହୋଇଛନ୍ତି । ମକ୍କା ଯିବା ଲାଗି ଛତା, ପର୍ଯ୍ୟାପ୍ତ ପାଣି ଆଦି ଧରି ଯିବା ଲାଗି ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛନ୍ତି ସାଉଦି କର୍ତ୍ତୃପକ୍ଷ । ଚଳିତ ବର୍ଷ ମକ୍କାକୁ ୧୮ ଲକ୍ଷ ଶ୍ରଦ୍ଧାଳୁ ଆସିଥିବା ବେଳେ କେବଳ ୧୬ ଲକ୍ଷ ଶ୍ରଦ୍ଧାଳୁ ଆସିଥିଲେ ବିଦେଶରୁ ।