SunstarTV
ଆଜି ନିର୍ବାଚିତ ବିଧାୟକମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାମଚଳା ବାଚସ୍ପତି(ପ୍ରୋଟେମ୍ ସ୍ପିକର୍) ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଏବଂ ୧୯ ତାରିଖ ଦୁଇଦିନ ଧରି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଧାନସଭାରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ତେବେ ଆଜି ବିଜେଡି ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିଧାୟକ ଭାବେ ଶପଥ ନେବାକୁ ଯାଉଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ୫ ଥର ପଦ ଓ ଗୋପନୀୟତାର ଶପଥ ପାଠ କରିଥିବା ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିଧାୟକ ଭାବେ ଶପଥ ଗ୍ରହଣ କରିବେ।ମଙ୍ଗଳବାର ଓ ବୁଧବାର ଦୁଇ ଦିନ ବିଧାୟକଙ୍କର ଶପଥ ପାଠ ଅନୁଷ୍ଠିତ ହେବ। ଆଜି ପୂର୍ବାହ୍ଣରେ ଶ୍ରୀ ପଟ୍ଟନାୟକ ବିଧାୟକ ଭାବେ ଶପଥ ନେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।
ସୂଚନାମୁତାବକ ସ୍ବାସ୍ଥ୍ୟଗତ କିମ୍ବା ଅନ୍ୟ କାରଣ ପାଇଁ ଯେଉଁ ବିଧାୟକମାନେ ଅନୁପସ୍ଥିତ ଥିବେ, ସେମାନେ ପରବର୍ତ୍ତୀ ସମୟରେ ବିଧାନସଭାରେ ଶପଥ ନେଇପାରିବେ।ସେପଟେ ଆସନ୍ତା ୨୦ରେ ନୂତନ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ତେଣୁ ବାଚସ୍ପତି ନିର୍ବାଚନ ପୂର୍ବରୁ ବିଧାୟକଙ୍କ ଶପଥ ପାଠ ଶେଷ ହେବ ବୋଲି ସୂଚନା ରହିଛି।