SunstarTV
ଚିନ୍ତା ବଢ଼ାଇଲାଣି ଡିପଥେରିଆ । ଓଡିଶାର କିଛି ଜିଲ୍ଲାରେ ଏବେ ଡିପଥେରିଆ ସଂକ୍ରମଣ ଖୁବ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ଅଛନ୍ତି ।
ତେବେ ମିଳିଥିବା ସୂଚନା ଅନୁସାରେ ଏହି ରୋଗରେ ରାୟଗଡାରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କୋରାପୁଟ ବନ୍ଧୁଗାଁରୁ ଜଣେ, କଳାହାଣ୍ଡିରୁ ୪ ରୁ ୫ ଜଣ ସନ୍ଦିଗ୍ଧ ଡିପଥେରିଆ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ନମୁନା ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆରଏମଆରସିକୁ ପଠାଯାଇଛି । ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ମନିଟର କରୁଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି ଆଣ୍ଟିବାୟୋଟିକ ଦ୍ୱାରା ଏହି ସଂକ୍ରମଣକୁ ମୂଳପୋଛ କରାଯାଇପାରିବ। ଯେହେତୁ ଏହା ବାୟୁବାହିତ ରୋଗ, ତେଣୁ ଲୋକମାନେ ମାସ୍କ ପିନ୍ଧନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ଅନ୍ୟପଟେ, ଡିପଥେରିଆ ମୁକାବିଲା ପାଇଁ ଆସନ୍ତାକାଲିଠୁ ଦିଆଯିବ ବୁଷ୍ଟର ଡୋଜ୍ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଏକ ବର୍ଷର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯିବ ସେହିପରି ୫ ରୁ ୧୫ ବର୍ଷଙ୍କୁ ଟିଡି ଡୋଜ୍ ଦିଆଯିବ । ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ ।