Sunstar TV :
ପାଦ ଥାପି ଥାପି ଆସୁଛି ମୌସୁମୀ । କାଲି ଛୁଇଁଛି ଓଡିଶା । ପ୍ରଥମେ ମାଲକାନାଗିରି ଆଉ ତାପରେ କୋରାପୁଟରେ ପହଞ୍ଚି ଥିଲା ମୌସୁମୀ । ଆଉ କୋରାପୁଟରେ ମୌସୁମୀ ବାୟୁ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଛି ବର୍ଷା । ବିଭିନ୍ନ ଜିଲ୍ଲାକୁ ତାତିରୁ ମିଳିଛି ମୁକ୍ତି । ପଟାଙ୍ଗି, କୋରାପୁଟ, କୁନ୍ଦ୍ରା ଓ ନନ୍ଦପୁର ଅଞ୍ଚଳରେ ଏବେ ବି ଜାରି ରହିଛି ବର୍ଷା ବୋଲି ସୂଚନାରୁ ପ୍ରକାଶ । ଆଉ ସେଠିକାର ମୌସୁମୀର ପ୍ରଭାବ ଏବେ ବିଭିନ୍ନ ଜିଲ୍ଲାରେ ମଧ୍ୟ ଦେଖାଗଲାଣି ।
ଅସହ୍ୟ ତାତି ଓ ବର୍ଷା ଭିତରେ ଲୁଚକାଳି ଖେଳୁଛି ମୌସୁମୀ ବାୟୁ । ରହି ରହି ଆସୁଛି ମୌସୁମୀ । ପୁଣି ମଝି ବାଟରେ ଅଟକି ଯାଉଛି । ତେବେ ଓଡିଶାରେ ପାଗ ଅନୁକୂଳ ଥିବା ବେଳେ ଧୀରେ ଧୀରେ ପାଖଉଛି ମୌସୁମୀ । ଗତକାଲି ରାଜ୍ୟ ରାଜଧାନୀ ଭୁବନେଶ୍ୱରର କିଛିଟା ସ୍ଥାନରେ ଅପରାହ୍ନରେ ବର୍ଷା ହେବାସହ ଘଡଘଡି ବିଜୁଳି ମଧ୍ୟ ମାରିଥିଲା । ଯାହାଫଳରେ ଭୁବନେଶ୍ୱରବାସୀ କିଛିଟା ପରିମାଣରେ ଆଶ୍ୱସ୍ତି ପାଇଥିଲେ । ଆଉ ଏଥିରୁ ଜଣାପଡିଛି ଆହୁରି ୪୮ ଘନ୍ଟା ଭିତରେ ଉପକୂଳ ଓଡିଶା ଛୁଇଁପାରେ ମୌସୁମୀ ବାୟୁ ବୋଲି ଆକଳନ କରାଯାଇଛି । ଅନ୍ୟପକ୍ଷରେ ଏବେ ବି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଜାରି ରହିଛି । ଏଥିପାଇଁ ୧୧ ଜିଲ୍ଲାକୁ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ତେବେ ଆସନ୍ତା ୨୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ।