Sunstar TV :
ପାଖେଇ ଆସୁଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନଯାତ୍ରା ପୂର୍ବରୁ ମହାପ୍ରଭୁ ରଥରେ ଚାରି ନାହାକା ଉଠିବାର ପରମ୍ପରା ରହିଛି । ଏନେଇ ଜୋରସୋରରେ ଚାଲିଛି ରଥଖଳା କାମ । ଖାଲି ସେତିକି ନୁହେଁ ଏହାର ଯଥେଷ୍ଟ ପୂର୍ବରୁ ୩ ରଥର ଚାରି ନାହାକା ସଂଯୋଗ ହୋଇଛି । ୩ ରଥର କାର୍ଯ୍ୟ ବେଶ ଦ୍ରୁତଗତିରେ ଆଗେଇ ଚାଲିଛି । ଯଥା ସମୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ସେବକ । ୩ ରଥର ଅଖ ଉପରକୁ ଦଣ୍ଡା ଫ୍ରେମ ଉଠି ଦଣ୍ଡାରେ କଣ୍ଟା ବାଡିଆ କାର୍ଯ୍ୟ ଶେଷ ହୋଇଥିଲା ।
୩ ରଥ ପାଞ୍ଚଦଣ୍ଡାରେ ଆଗ ଆଣି ଓ ପଛ ଆଣି ଗରଗରା ପଡ଼ି ଦଣ୍ଡା ଉଭୟ ପାର୍ଶ୍ବରେ ପୋଲ ଗୟଳ ମୋଡା ଶେଷ ହୋଇଛି । ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନ ୩ ରଥର ପାଞ୍ଚ ଦଣ୍ଡା ଉପରକୁ ଦୁଇଟି ଲେଖାଏଁ ଗରଗରା ଉଠାଇଥିଲେ । ପରେ ତିନି ରଥ ମହାରଣା ସେବକମାନେ ମାପ ପ୍ରକାରେ ଗରଗରା ପଛ ଭାଗକୁ ଅର୍ଦ୍ଧ ଚନ୍ଦ୍ରକାର କାପ ଖୋଦେଇ ସହ ବିନ୍ଧ କଲାପରେ ୩ ରଥର ଓଝା ସେବକମାନେ ଗରଗରାରେ କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ କରିଥିଲେ।