Sunstar TV :
ନିର୍ବାଚନ ଶେଷ ହେବା ପରେ ଆସନ୍ତାକାଲି ମଙ୍ଗଳବାର ବସିବାକୁ ଯାଉଛି ପ୍ରଥମ ବିଧାନସଭା ଅଧିବେଶନ । ଆସନ୍ତାକାଲି ଠାରୁ ବିଧାନସଭାର ତିନିଦିନିଆ ଅଧିବେଶନ ବସିବ । ନୂଆ ସରକାର ଆସିବା ପରେ ନବନିର୍ବାଚିତ ବିଧାୟକମାନେ ଦୁଇଦିନ ଧରି ଶପଥ ଗ୍ରହଣ କରିବେ । ଏଥିସହ ନୂତନ ବାଚସ୍ପତି ପାଇଁ ମଧ୍ୟ ଏହି ଅଧିବେଶନରେ ନିର୍ବାଚିତ ହେବେ । ଏବେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରାଜ୍ୟପାଳଙ୍କ ଦ୍ବାରା କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି । ସେ ହିଁ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ । ପରେ ବିଜେପିର ବରିଷ୍ଠ ମହିଳା ବିଧାୟିକା ସୁରମା ପାଢୀ ବାଚସ୍ପତି ନିର୍ବାଚିତ ହେବାର ସର୍ବାଧିକ ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ଆସନ୍ତାକାଲି ବିଧାନସଭା ଅଧିବେଶନ କିଭଳି ସୁରକ୍ଷିତ ଭାବେ ଚାଲିବ ଏଥିପାଇଁ ବିଧାନସଭା ପରିସରରେ ପୋଲିସ ଡିଜି କରିଛନ୍ତି ସୁରକ୍ଷା ସମୀକ୍ଷା । ପୋଲିସ ଡିଜି, ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ବିଧାନସଭା ପରିସର ପରିଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଛି । ଏନେଇ ୮ଟି ପ୍ଲାଟୁନ ପୋଲିସ ଫୋର୍ସ ସହ ୭୫ଜଣ ଅଧିକାରୀ ସୁରକ୍ଷାରେ ନିୟୋଜିତ ରହିବାର ଯୋଜନା ରହିଛି ।
ପ୍ରଥମ ଦୁଇଦିନ ୧୮ ଓ ୧୯ ତାରିଖରେ ନବନିର୍ବାଚିତ ବିଧାୟକମାନଙ୍କ ଶପଥ ପାଠ କାର୍ଯ୍ୟକ୍ରମ ରହିଛି । ୨୦ ତାରିଖରେ ନୂତନ ବାଚସ୍ପତି ନିର୍ବାଚନ ହେବ । ବିଧାନସଭାରେ ପ୍ରବେଶ ପାଇଁ କେବଳ ପାସଧାରୀମାନଙ୍କୁ ହିଁ ଅନୁମତି ମିଳିବ । ଯେହେତୁ ଭୁବନେଶ୍ବର ଡିସିପି ଏବେ ଛୁଟିରେ ଅଛନ୍ତି, ପୋଲିସ କମିଶନର ସୁରକ୍ଷା ଦାୟିତ୍ଵରେ ରହିବେ । ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ ଫୋର୍ସ ଗୃହ ଭିତରେ ଓ ବାହାରେ ନିୟୋଜିତ ରହିବେ । ସୁରକ୍ଷା ସମ୍ପର୍କିତ କୌଣସି ଅପ୍ରୀତିକର ସ୍ଥିତିର ମୁକାବିଲା ପାଇ ଏସଟିୟୁ ଟିମ, ଡଗ୍ ସ୍କ୍ୱାର୍ଡ ଓ ବମ ସ୍କ୍ବାଡ ଟିମ୍ ମଧ୍ୟ ନିୟୋଜିତ ରହିବେ ।
ସେହିପରି ଲୋୟର-ପିଏମଜିରେ କୌଣସି ଧାରଣା ଓ ପ୍ରତିବାଦ ପାଇଁ ମଧ୍ୟ କୌଣସି ଅନୁମତି ଦିଆଯିବ ନାହିଁ । ଏନେଇ ପୋଲିସ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । ସିସିଟିଭି ସର୍ଭିଲାନସରେ ମଧ୍ୟ ପୁରା ବିଧାନସଭା ନଜରରେ ରହିବ । ସଶସ୍ତ୍ର ପୋଲିସ କର୍ମଚାରୀ ବିଭିନ୍ନ ସ୍ଥାନରେ ନିୟୋଜିତ ରହିବେ ।