Sunstar TV :
ଟି-୨୦ ବିଶ୍ୱକପର ସୁପର-୮ରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଭାରତ ସୁପର-୮ରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ଖେଳିବ । ଗ୍ରୁପ୍ ପର୍ଯ୍ୟାୟରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଆୟର୍ଲାଣ୍ଡ, ପାକିସ୍ତାନ ଏବଂ ଆୟୋଜକ ଆମେରିକାକୁ ପରାସ୍ତ କରିଛି । ତେବେ କାନାଡା ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଥିଲା । ଭାରତୀୟ ଦଳକୁ ଟି -୨୦ ବିଶ୍ୱକପ ୨୦୨୪ ଟାଇଟଲ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଏ ।
କିନ୍ତୁ ଦଳର ଖେଳାଳିଙ୍କ ଫର୍ମ ଭାରତର ଚିନ୍ତା ବଢ଼ାଉଛି । ସବୁଠାରୁ ବଡ଼ ସମସ୍ୟା ହେଉଛି ବିରାଟ କୋହଲିଙ୍କ ଫର୍ମକୁ ନେଇ । ଗ୍ରୁପ୍ ପର୍ଯ୍ୟାୟରେ ବିରାଟଙ୍କ ବ୍ୟାଟ୍ରୁ ବଡ଼ ସ୍କୋର ଦେଖିବାକୁ ମିଳିନଥିଲା । ଯାହାକି ଟିମ୍ ଇଣ୍ଡିଆର ବ୍ୟାଟିଂ ଉପରେ ପ୍ରଭାବ ପକାଇଛି । ତେବେ ଏହାରି ମଧ୍ୟରେ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନକୁ ନେଇ ମୁହଁ ଖୋଲିଛନ୍ତି ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ।
ଅଧିନାୟକ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ଓପନିଂ କରୁଛନ୍ତି । ଗ୍ରୁପ୍ ପର୍ଯ୍ୟାୟରେ ୩ଟି ମ୍ୟାଚରେ ମାତ୍ର ୫ ରନ୍ କରିଛନ୍ତି ବିରାଟ କୋହଲି । ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡ ବିପକ୍ଷରେ ବିରାଟ କୋହଲି ୧ ରନ୍ କରି ଆଉଟ ହୋଇଥିବା ବେଳେ ପାକିସ୍ତାନ ବିପକ୍ଷରେ ମାତ୍ର ୪ ରନ୍ କରିବାରେ ସଫଳ ହୋଇଥିଲେ । ଏହା ପରେ ବିରାଟ କୋହଲି ଆମେରିକା ବିପକ୍ଷରେ ଏକ ଖାତା ଖୋଲିପାରିନଥିଲେ ।
ସୁପର-୮କୁ ଯିବା ପୂର୍ବରୁ ବିରାଟ କୋହଲି କାନାଡା ବିପକ୍ଷରେ ଦମଦାର ବ୍ୟାଟିଂ କରିବେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ବର୍ଷା ହେତୁ ଏହି ମ୍ୟାଚ ବାତିଲ ହୋଇଯାଇଥିଲା। ଏହାକୁ ନେଇ ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ବିରାଟ କୋହଲିଙ୍କ ଫର୍ମ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିକ୍ରମ ରାଠୋର କହିଛନ୍ତି ଯେ ”ବିରାଟ କୋହଲି ଭଲ ବ୍ୟାଟିଂ କରୁଛନ୍ତି। ଏହିପରି, ୨-୩ ମ୍ୟାଚ୍ରେ ଆଉଟ୍ ହେଲେ କୌଣସି ଫରକ ପଡ଼େନି । ଯେତେବେଳେ ମୋତେ ବିରାଟ କୋହଲିଙ୍କ ଫର୍ମ ବିଷୟରେ ପ୍ରଶ୍ନ ପଚରାଯାଏ ମୁଁ ଖୁସି ଅନୁଭବ କରେ । ସେ ବଡ଼ ଖେଳାଳି । ସେ ଏକ ଶାନଦାର ପ୍ରତ୍ୟାବର୍ତ୍ତନ କରିବେ । ବିରାଟ କୋହଲିଙ୍କ ଫର୍ମ ଆମ ପାଇଁ ଚିନ୍ତାର ବିଷୟ ନୁହେଁ। ବିରାଟ କୋହଲି ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଏଠାରେ ମଧ୍ୟ ଭଲ ପ୍ରଦର୍ଶନ କରିବେ । ଯେତେବେଳେ ଦଳ ତାଙ୍କୁ ଅଧିକ ଆବଶ୍ୟକ କରେ, ସେ ଦମଦାର ପ୍ରତ୍ୟାବର୍ତ୍ତନ କରିବେ ” ।