Sunstar Tv
Rahul Gandhi on EVM: ନିର୍ବାଚନ ପରେ ପରେ ପୁଣି ଉଠିଲା ଇଭିଏମ୍ ପ୍ରସଙ୍ଗ। ରବିବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ଇଭିଏମକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି।
ଯାହା ପରେ ପୁଣିଥରେ ଇଭିଏମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲୋନ୍ ମସ୍କଙ୍କ ଏକ ଏକ୍ସ ପୋଷ୍ଟକୁ ରିପୋଷ୍ଟ କରିବା ସହ ଲେଖିଛନ୍ତି, ‘‘ଭାରତରେ ଇଭିଏମ୍ ଏକ ବ୍ଲାକ୍ ବକ୍ସ। ଏହାକୁ ଯାଞ୍ଚ କରିବାକୁ କାହାର ବି ଅନୁମତି ନାହିଁ।’’
ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧି ତାଙ୍କର ଏହି ପୋଷ୍ଟରେ ମୁମ୍ବାଇର ଗୋଟିଏ ଘଟଣା କଥା ଉଲ୍ଲେଖ କରିଛନ୍ତି। ଏହି ମାମଲାରେ ମୁମ୍ବାଇ ପୋଲିସ୍ ଇଭିଏମକୁ ନେଇ ଶିବସେନା ସିନ୍ଧେ ଗୋଷ୍ଠୀର ସାଂସଦ ରବୀନ୍ଦ୍ର ୱାୟକରଙ୍କ ଶଳା ମଙ୍ଗେଶ ପାଣ୍ଡିଲକରଙ୍କ ବିରୋଧରେ କେସ୍ ରୁଜୁ କରିଛି।
ମଙ୍ଗେଶ ପାଣ୍ଡିଲଙ୍କର ବିରୋଧରେ ଅଭିଯୋଗ ରହିଛି ଯେ, ମୁମ୍ବାଇର ଗୋରେଗାଓଁ ନିର୍ବାଚନ ସେଣ୍ଟର ଭିତରେ କଟକଣା ଥିବା ସତ୍ତ୍ବେ ସେ ମୋବାଇଲ୍ ବ୍ୟବହାର କରିଥିଲେ।
ତେବେ ରାହୁଲ ଗାନ୍ଧି ମୋବାଇଲ୍ ଏବଂ ଏହି ଘଟଣା କଥା ଉଲ୍ଲେଖ କରିବାର କାରଣ ଏହା ଯେ, ଏଲନ୍ ମସ୍କ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଇଭିଏମରେ ନକରିବାକୁ ପରାମର୍ଶ ଦେଇଥିଲେ ।
ସେ କହିଥିଲେ ଯେ, ଇଭିଏମକୁ ବନ୍ଦ କରିଦେବା ଉଚିତ୍ । ଏହାକୁ ଜଣେ ସାଧାରଣ ଲୋକ କିମ୍ବା ଏଆଇ ଦ୍ୱାରା ହ୍ୟାକ୍ କରିବାର ଭୟ ଅଛି ବୋଲି ସେ କହିଛନ୍ତି । ଯାହାପରେ ରାହୁଲ ଗାନ୍ଧି ମଧ୍ୟ ଏହି କଥା ଛଳରେ ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।