Sunstar TV :
ଗ୍ରୀଷ୍ମ ଓ ବର୍ଷା ଋତୁର ସନ୍ଧିକ୍ଷଣରେ ଭିଜାମାଟିର ବାସ୍ନା ନେଇ ଆସେ ଓଡ଼ିଶାର ଗଣପର୍ବ ରଜ। ସତେ ଯେମିତି ଏହା ଧରିତ୍ରୀ ମାତା ଓ ମୌସୁମୀର ମିଳନର ପର୍ବ । ସାରା ବିଶ୍ୱରେ ପ୍ରକୃତିକୁ ନେଇ ଏମିତି ଏକ ପର୍ବର ପରିକଳ୍ପନା ହୁଏ ତାହା ହେଉଛି ରଜ ପର୍ବ । ତେବେ ଏହି ରଜ ପର୍ବରେ ଦୋଳି ଖେଳସହ ପସାପାଲି ଖେଳ, ପୁଚି ଖେଳ, ବାଉଁଶବାଡି ଖେଳ ହୋଇଥାଏ । ହେଲେ କାହିଁକି ରଜରେ ଏହି ଖେଳ ଖେଳାଯାଏ ଓ କ’ଣ ରହିଛି ଏହାର ମହତ୍ତ୍ୱ ଚାଲନ୍ତୁ ଜାଣିବା । ରଜ ଓଡ଼ିଶାର ଏକ ପାରମ୍ପରିକ ପର୍ବ ଓ ରାଜ୍ୟର ଗଣପର୍ବ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜା କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ଆଧୁନିକ ଯୁଗରେ ବି ଯୁବପୀଢିଙ୍କ ମଧ୍ୟରେ ଓଡିଆ ସଂସ୍କୃତି ପରମ୍ପରା ଆଜି ବି ଦେଖିବାକୁ ମିଳୁଛି ।
ଏହି ଦିନରେ ପୁରୁଷମାନେ ଏକତ୍ରିତ ହୋଇ ପଶାପାଲି ଖେଳି ଥାନ୍ତି । ଘରୁ ପିଠା ଖାଇକି ଆସି ବାହାରେ କିଏ ଗଛମୂଳେ ତ କିଏ କାହା ଦାଣ୍ଡ ପିଣ୍ଡାରେ ବସିଥାନ୍ତି ପଶାପାଲି, ତାସ ଓ ଲୁଡୁ ଖେଳିବା ପାଇଁ। ତେବେ ଏହି ଖେଳ ଖେଳିବାକୁ ଯେତିକି ମଜା ଲାଗିଥାଏ ଖେଳ ଦେଖିବାକୁ ମଧ୍ୟ ବେଶ ଭଲ ଲାଗିଥାଏ । ହେ ଧର,ଧର୍ , ମାର୍ ମାର୍ ମୁଁ ଜିତିଗଲିର ଘୋ’ ଘାରେ କମ୍ପୁଥାଏ ଗାଁ ଦାଣ୍ଡ । ସେହିପରି କୁଆଁରୀ ଝିଅମାନେ ଏହି ୩ଦିନ ଯେପରି ବସୁମତୀ ମା’କୁ ଯେପରି କଷ୍ଟ ନହୁଏ ସେଥିପ୍ରତି ଦୃଷ୍ଟିରେ ରଖି ଝିଅମାନେ ଦୋଳି ଖେଳିବା ସହ ପୁଚି ଖେଳ ଖେଳିଥାନ୍ତି । ଆଉ ସକାଳୁ ଘରେ ପିଠା ପଣା ଖାଇ ଏହି ଖେଳରେ ମାତି ଯାଆନ୍ତି । ନୂଆ ପୋଷାକ ପିନ୍ଧି ପାଦରେ ଅଳତା ଲଗାଇ ପରସ୍ପର ପରସ୍ପରର ହାତ ଧରି ଖେଳିଥାନ୍ତି । ଯାହା ମନରେ ଯେତେ ରାଗ ଅଭିମାନ ଥିଲେ ବି ଏହି ୩ଦିନ ଏକାଠି ହୋଇ ଖେଳିବା ସହ ରଜ ପର୍ବ ପାଳନ କରିଥାନ୍ତି ।