Sunstar TV :
ବନସ୍ତେ ଡାକିଲା ଗଜ, ବରଷକ ଥରେ ଆସିଛି ରଜ । ଆସିଛି ରଜ ଲୋ, ଘେନି ନୂଆ ସଜବାଜ । ଦର୍ଶକ ବନ୍ଧୁ ଆଜି ହେଉଛି ପହିଲି ରଜ । ଏହାକୁ ନେଇ ଉତ୍ସବମୁଖର ଗାଁ ଠୁ ସହର । ସବୁଠି ଜମୁଛି ରଜମଉଜ । ପିଲା ଠୁ ନେଇ ବୁଢା ସମସ୍ତଙ୍କ ମନ ଆଜି ରଜ ପାଇଁ ଖୁସିରେ ନାଚି ଉଠୁଛି । ଘରେ ଘରେ ମହକୁଛି ଆଜି ପିଠାପଣାର ବାସ୍ନା । ସେପଟେ ନୂଆ ପୋାଷାକ ପିନ୍ଧି ଦୋଳି ଖେଳୁଛନ୍ତି ଝିଅ ମାନେ । ପାଦରେ ଅଳତା ଲଗାଇ, ମଥାରେ କୁମକୁମ୍ ଲାଲି ବିନ୍ଦି ପିନ୍ଧି ସଜେଇ ହେଇ ଦୋଳି ଖେଳୁଛନ୍ତି କୁଆଁରୀ ଝିଅମାନେ । ଆଜିଠୁ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରଜ ପର୍ବ ପାଳନ ହେବ । ତେବେ କାହିଁକି ପାଳନ ହୁଏ ଏ ରଜ ? କ’ଣ ରହିଛି ଏହାର ମହତ୍ୱ ? ଚାଲନ୍ତୁ ଜାଣିବା ।
ଓଡ଼ିଶାର ଜାତୀୟ ପର୍ବ ରଜ। ବସୁଧା, ପ୍ରକୃତି ମାତାକୁ ପୂଜା କରିବାର ଏକ ଅନନ୍ୟ ପରମ୍ପରା। କୃଷି ଭିତ୍ତିକ ସାମାଜିକ ଚଳଣିରେ ଏକ ଗୁରୁତ୍ୱପୂର୍ଣ୍ଣ ମନୋରଞ୍ଜନର ଆସର ହେଉଛି ରଜ। ରାଜ୍ୟର ଏହି ଗଣପର୍ବକୁ କାହିଁକି ଓ କିପରି ପାଳନ କରାଯାଏ ଆସନ୍ତୁ ଜାଣିବା।
ରଜ ପର୍ବ ୩ଦିନ ଧରି ପାଳନ କରାଯାଇଥାଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ । ପୃଥିବୀ ମାତା ବର୍ଷାର ଆଗମନରେ ରଜସ୍ୱଳା ହୁଏ । ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରେ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନେ ଲୁଡୁ, ତାସ୍, ବାଗୁଡ଼ି ଆଦି ଖେଳି ସହିତ ଏହା ପାଳନ କରାଯାଏ । ଆଷାଢ ମାସର ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଗୋଟିଏ ସ୍ଥାନରେ ରହି ସାଧନା କରିଥାନ୍ତି। ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ମାସ ବୋଲି ଗ୍ରହଣ କରାଯାଏ।
ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା’ ରଜସ୍ୱଳା ହୁଏ । କୃଷିପ୍ରଧାନ ଦେଶଭାବେ ଖ୍ୟାତି ଲାଭ କରିଥିବା ଆମଦେଶରେ ମାଟି ମା’ ବହୁ କିସମର ଫସଳ ଫଳାଇ ଆମରି ହାତରେ ଅଜାଡ଼ି ଦିଏ। ମା’ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା’କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ । ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ ।
ଏହି ରଜ ପର୍ବ ପାଳନ ଅବସରରେ ଜଣେ ନାରୀଭାବେ ଆଗାମୀ ଦିନରେ କିଛି କର୍ତ୍ତବ୍ୟ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ । କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାର ସଂହିତାକୁ ବିଦ୍ଧି ଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାର ସଂହିତା ତାକୁ ସହାଯ୍ୟ କରେ।
ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାଆକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲା ଭଳି କୁମାରୀମାନେ ବିଶ୍ରାମ କରନ୍ତି। ଝିଅ ବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି । ରଜପର୍ବର ବିଦ୍ଧିବିଧାନକୁ ସେମାନେ ନିଜେ ପାଳନ କରି ଜଣେ ମା’ର କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଇ ପାରିବେ ଏବଂ ଭବିଷ୍ୟତରେ ନିଜ ଝିଅମାନଙ୍କୁ ନିଜ ଅନୁଭୂତିରୁ ଶିଖି ସଂସାର ନିୟମ ଶିଖାଇବେ।
କିପରି ପାଳନ ହୁଏ:
ଏହି ପର୍ବ ପାଳନ ବେଳରେ ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି। ଅଭିଆଡ଼ି ଝିଅମାନେ ଶାଢ଼ୀ ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି ।