Sunstar TV :
ସରିଲା ସଜବାଜ। ଆଜି ପହିଲି ରଜ । ଓଡ଼ିଶାର ଏହି କୃଷିଭିତ୍ତିକ ପର୍ବକୁ ନେଇ ଚଳଚଞ୍ଚଳ ହୋଇଛି ଗାଁଠୁ ସହର । ଏହି ପର୍ବ କେବଳ ଉପକୂଳବର୍ତ୍ତୀ ଓଡ଼ିଶାରେ ସୀମିତ ହୋଇ ରହିନାହିଁ । ସବୁ ଯାଗାରେ ପାଳନ ହେଉଛି ରଜ । ଘରଘର ମହକୁଛି ପୋଡ ପିଠା ସହ ନାନା ପ୍ରକାରର ସୁଆଦିଆ ପିଠାର ବାସ୍ନା । ଏହି ଦିନ ପୋଡ ପିଠା, ଏଣ୍ଡୁରି ପିଠା, ସୁଜିକାକରା ପିଠା, ଆରିଷା ପିଠା ଭଳିକି ଭେଳିକି ପିଠା କରାଯାଇଛି । ତେବେ ରଜରେ ପୋଡ ପିଠା ନହେଲେ ରଜ ପର୍ବ ଅଧୁରା ଲାଗେ । ଏଇ ପୋଡ ପିଠା କରିବା ପାଇଁ ଘରର ମା’ ଓ ବୋହୂମାନେ ରଜ ଆଗ ଦିନରୁ ବିରି ଚାଉଳ ବତୁରାଇ ତାକୁ ଧୋଇ ବାଟିଥାନ୍ତି । ପରଦିନ ସକାଳୁ ସକାଳୁ ପୋଡ ପିଠା ସହ ଅନ୍ୟାନ୍ୟ ପିଠା ଆରମ୍ଭ କରିଥାନ୍ତି ପ୍ରସ୍ତୁତି । ସକାଳ ୮ଟାରୁ ଘରେ ଘରେ ବଢାଯାଇଥାଏ ନାନା ସୁଆଦିଆ ପିଠା ସହ ସ୍ୱାଦିଷ୍ଟ ତରକାରୀ । କେହି କେହି ଏହି ଦିନ ଶାଳ ପତ୍ରରେ ପିଠା ଖାଇଥାନ୍ତି । କେବଳ ରଜରେ ପୋଡ ପିଠା ହୁଏନି ବାହୁଡା ଯାତ୍ରାରେ ମାଉସୀ ମା’ଙ୍କ ପୋଡ ପିଠା ଖାଇଥାନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଏପରିକି କୁହାଯାଏ ରଜ ୩ଦିନ ଯାଏଁ କୁଆଡେ ଘରେ କେବଳ ପିଠା ହିଁ ରୋଷେଇ ହୁଏ । ହିନ୍ଦୁ ପରମ୍ପରା ଅନୁସାରେ ଏହି ଦିନରେ ସୂର୍ଯ୍ୟାସ୍ତ ପରେ କୌଣସି କୁଆଁରୀ ଝିଅମାନେ ଅର୍ଣ୍ଣ ଛୁଇଁବା କଥା ନୁହେଁ । ତେଣୁ ଆଜିର ଦିନରେ ମଧ୍ୟ ଏହି ପରମ୍ପରା ଚାଲିଆସିଛି । ଝିଅମାନେ ରଜ ଆରମ୍ଭରୁ ନେଇ ଶେଷ ରଜ ଯାଏଁ ପ୍ରଥମେ ପିଠା ଖାଇ ଦିନ ଆରମ୍ଭ କରିଥାନ୍ତି । ଏହା ଏକ ଗଣପର୍ବ ହୋଇଥିବାରୁ ଏହି ଦିନରେ ନିଜେ ପୋଡ ପିଠା ଖାଇବାସହ ପୋଡଶୀ ଘର, ବନ୍ଧୁବାନ୍ଧବଙ୍କ ସହ ମିଶି ଖାଇଥାନ୍ତି ପିଠା ।