Sunstar TV :
ବରଷକ ଥରେ ଆସିଛି ରଜ ସାଙ୍ଗରେ ଧରି ସଜବାଜ । ଓଡିଆଙ୍କ ବଡ ପର୍ବ ରଜ ପର୍ବ । ଆଉ ଏ ପର୍ବରେ ଓଡିଆ ଝିଅ ସଜ ହେବେନି ତ ଆଉ କେବେ ସଜହେବେ । ହଁ ଆଜ୍ଞା ରାତି ପାହିଲେ ପହିଲି ରଜ । ଏହା ରାଜ୍ୟର ଏକ ପାରମ୍ପରିକ ପର୍ବ ହୋଇଥିବା ବେଳେ ଏହାକୁ ଚାରିଦିନ ଧରି ପାଳନ କରାଯାଇଥାଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ। ତେବେ ରଜ ସଜବାଜ ରଜ ପର୍ବରେ ବେଶ ଗୁରୁତ୍ୱପୂର୍ଣ୍ଣ ବହନ କରେ । କୁଆଁରୀମାନେ ସଜବାଜରେ ପରସ୍ପରକୁ ଅଳତା, କୁଙ୍କୁମ, ମେହେନ୍ଦୀ ଲଗାଇ ଦେବାସହ ଦୋଳି ଖେଳିବା ପାଇଁ ପ୍ରସ୍ତୁତ ହେଲେଣି । ରଜ ସଜବାଜରୁ ହିଁ ଗାଁରେ ତାସ୍, ଲୁଡୁ ଏବଂ ଚେସ୍ ଖେଳର ଆସର ଜମିଲାଣି । ନାନା ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ସଜେଇ ହୋଇଛନ୍ତି ଛୋଟ ଛୋଟ ଝିଅମାନେ । ଏହାସହ ଆଉ କେହି କେହି ଆଜିଠୁ ଦୋଳି ଖେଳିବା ଆରମ୍ଭ କରିଛନ୍ତି । ପଛରୁ ରହି ଠେଲା ମାରୁଛି ଜଣେ ଆଉ ଜଣେ ଦୋଳିରେ ବସି ଝୁଲଣାର ମଜା ନେଉଛି । କୁଆଁରୀ ମାନେ ରଜ ପାଇଁ ସଜ ହେବା ସହ ରଜ ଅବସରରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନାଚ ଗୀତର ପ୍ରସ୍ତୁତିରେ ମାତିଲେଣି । ଏଇ ରଜ ପର୍ବ ଓଡିଶାର କୋଣ ଅନୁକୋଣରେ ପାଳିତ ହେଉଛି । ସବୁଠି ଆଜି ଚାଲିଛି ସଜବାଜ । ରଜ ପାଇଁ ଆଜିଠୁ ହେଲାଣି ମନ ଉଚ୍ଛନ୍ନ । କେମିତି ରାତି ପାହିବ ଦୋଳି ଖେଳିବେ । ଏହାକୁ ନେଇ ଅପେକ୍ଷା କରିଛନ୍ତି ଓଡିଶାବାସୀ। ତେବେ କଣ ଏହି ରଜ ? କାହିଁକି ପାଳନ କରାଯାଏ ଆଡମ୍ବରରେ ଚାଲନ୍ତୁ ଜାଣିବା ।
ରଜ ଓଡ଼ିଶାର ଗଣପର୍ବ। ପୃଥିବୀ ମାତା ବର୍ଷାର ଆଗମନରେ ରଜସ୍ୱଳା ହୁଏ ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରେ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ୍ ବାଗୁଡ଼ି ଆଦି ଖେଳି ସହିତ ଏହା ପାଳନ କରାଯାଏ। ଯିଏ ଯେଉଁଠି ବି ରହିଥାନ୍ତୁ ଝିଅମାନେ ରଜ ଆସିଲେ ନିଜ ନିଜ ଘରେ ପହଁଚିଯାନ୍ତି ରଜ ପର୍ବ ପାଳନ କରିବା ପାଇଁ । ତେବେ ଗାଁ ମାନଙ୍କରେ ରଜ ପର୍ବର ମଜା ଖୁବ ନିଆରା ଥିବା ବେଳେ ସହରରେ ଏହି ପର୍ବର ମଜା ଟିକେ ଭିନ୍ନ ରହିଥାଏ । ଏହି ଦିନ ଗାଁ ମାନଙ୍କରେ ଝିଅମାନେ ଏକାଠି ହୋଇ ରଜ ପର୍ବ ପାଳନ କରୁଥିବା ବେଳେ ସହରରେ ଖୁବ କମ ଏହା ଦେଖିବାକୁ ମିଳେ ।
ଅନେକ ସ୍ଥାନରେ କେହି କେହି ନିଜ ଘରେ ଦୋଳି ବାନ୍ଧି ରଜ ପର୍ବ ପାଳନ କରିଥିବା ଦେଖିବାକୁ ମିଳେ । ରଜ ଓଡିଆଙ୍କ ଖୁସିର ପର୍ବ । ଆଉ ରାତି ପାହିଲେ ପହିଲି ରଜକୁ ଅପେକ୍ଷା କରିଛନ୍ତି ପ୍ରତ୍ୟେକ ଓଡିଆବାସୀ । ହେଲେ ମୋଟାମୋଟି ଭାବେ ଦେଖିବାକୁ ଗଲେ, ବର୍ତ୍ତମାନ ସମୟରେ ସେଇ ପୁରୁଣା ରଜର ମଜା ଆଉ ନାହିଁ । ସହର ତ ଦୂରର କଥା ଗାଁ ଗହଁଳିରେ ବି ଦେଖିବାକୁ ମିଳୁନି ରଜ ମଉଜ । କୁହାଯାଏ ଗୀତ ଓ ସଂଗୀତର ସାତ ସୂରରେ ବନ୍ଧା ଓଡିଶାର ଜନଜୀବନ। ପ୍ରତ୍ୟେକ ପର୍ବପର୍ବାଣୀ ମଧ୍ୟ ଏହି କଥା କହେ। ଏଥିରୁ ରଜ ବା କିପରି ବାଦ ପଡ଼ିବ । ବିନା ରଜ ଗୀତରେ ରଜ ମଉଜ ଫିକା। ରଜଗୀତ ଓଡ଼ିଶାର ପୁରପଲ୍ଲୀରେ ବେଶ ପରିଚିତ। ଏହି ଲୋକ ଗୀତକୁ ପୀଢି ପରେ ପୀଢି ବଞ୍ଚେଇ ରଖିଛନ୍ତି । ତେବେ ଏହି ଗୀତର ପ୍ରକୃତ ରଚୟିତା କିଏ ତାହା ଏ ପର୍ଯ୍ୟନ୍ତ ଜଣାପଡିନି। କିନ୍ତୁ ଏହି ଗୀତର ପ୍ରଥମ ଧାଡି ପ୍ରତ୍ୟେକ ଓଡିଆଙ୍କ ମୁହଁରେ ଥାଏ। ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ’ ଏହା ସହ କିଏ ବା ପରିଚିତ ନୁହେଁ। ତେବେ ଏହି ଗୀତରେ ସମୁଦାୟ ୩୭ଟି ପଦ ଥିବା ବେଳେ ସବୁ ପଦଗୁଡିକ ଓଡ଼ିଶାର ସାମାଜିକ ଜୀବନ, ଗ୍ରାମୀଣ ଚଳଣୀ, ଲୋକ କଳା ଓ ଲୋକ ସଂସ୍କୃତି ସହିତ ଓତଃପ୍ରୋତ ଭାବେ ଜଡିତ।