SunstarTV
ନିର୍ବାଚନ ପୂର୍ବରୁ ବିଜେପି ସରକାର ଯେଉଁ ସଂକଳ୍ପ ପତ୍ର ଲୋକ ମାନଙ୍କ ସମ୍ମୁଖରେ ରଖିଥିଲା ସେଥିରେ ମହିଳା ମାନଙ୍କୁ ବେଶ ଗୁରୁତ୍ୱ ଦିଆ ଯାଇଥିଲା । ତେବେ ଗତ କାଲି ରାଜ୍ୟରେ ନୂଆ ମୁଖିଆ ଭାବେ ବିଜେପି ନେତା ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି ।
ରାଜ୍ୟରେ ବିଜେପି ସରକାରକୁ ଆସିଲେ କଣ କଣ କରିବ ଯାହା ଏହି ସଂକଳ୍ପ ପତ୍ରରେ ଲେଖିଥିଲା ପ୍ରଥମ ଦିନର କ୍ୟାବିନେଟ ବୈଠକରେ ଚାରିଟି ପ୍ରସ୍ତାବ ଉପରେ ମୋହର ମାରିଛି । ଏଥିରେ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହେଇଛି ।
ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି।
କ୍ୟାବିନେଟ୍ ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟଗଣଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଓଡିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତୀୟ ଜନତା ପାର୍ଟିର ସଂକଳ୍ପ ପତ୍ରକୁ ଗ୍ରହଣ କରି ରାଜ୍ୟ କ୍ୟାବିନେଟ ୪ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି ।
ଏହି ନିଷ୍ପତ୍ତି ଅନୁଯାୟୀ ଆଜି ମହାପ୍ରଭୁଙ୍କ ମଙ୍ଗଳ ଆରତୀ ସମୟରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଯିବ।
ଦ୍ବିତୀୟ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରର ଉନ୍ନତିକରଣ, ସଂରକ୍ଷଣ, ବିକାଶ ତଥା ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ୫୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡର ବ୍ୟବସ୍ଥା କରିବେ।
ତୃତୀୟ ନିଷ୍ପତ୍ତି ହେଉଛି ରାଜ୍ୟର କୃଷକ ଭାଇଭଉଣୀ ମାନଙ୍କ ସଶକ୍ତିକରଣ ପାଇଁ ଏକ ‘ସମୃଦ୍ଧ କୃଷକ ନୀତି’ ଆସିବ ଏବଂ ଚାଷୀ ମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏଥିପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଗାମୀ ୧୦୦ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ।
ଚତୁର୍ଥ ନିଷ୍ପତ୍ତି ଅନୁଯାୟୀ ମହିଳା ମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ। ଆଗାମୀ ୧୦୦ ଦିନ ମଧ୍ୟରେ ଏହାର ରୂପରେଖ ପ୍ରସ୍ତୁତ କରି ମାର୍ଗଦର୍ଶିକା (guidelines) ପ୍ରସ୍ତୁତ କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମହିଳାମାନଙ୍କୁ ଗୁରୁତ୍ୱ ଦେଇଛି ବିଜେପି। ୨୦୨୪ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବ ବୋଲି ଯେଉଁ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଥିଲା ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ଆଦେଶ ଦିଆଯାଇଛି । ଏହି ଯୋଜନାରେ ପ୍ରତ୍ୟେକ ମହିଳା ୫୦ ହଜାର ଟଙ୍କାର ନଗଦ ଭାଉଚର୍ ପାଇବେ ।
ଯାହାକୁ ମହିଳାମାନେ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ । ସେହିପରି ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଛି ବିଜେପି ।