SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ବର୍ଷ ଏପ୍ରିଲ ଆରମ୍ଭରୁ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଫଳରେ ଖରା ଗରମରେ ସନ୍ତୁଳି ହେଉଛି ଜନଜୀବନ । ସକାଳ ୮ଟାରୁ ଘରୁ ବାହାରିବାକୁ ଭୟ ଲାଗୁଛି । ତେବେ ସମୟ ପୂର୍ବରୁ ମୌସୁମୀ ଓଡିଶା ଛୁଇଁଥିଲେ ମଧ୍ୟ ତାତିରୁ ମିଳୁନି ତ୍ରାହି । ଦିନର ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ତେବେ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ ଏହିପରି ଗରମ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାର ତାପମତ୍ରା ୩୫ରୁ ୪୩ ଡିଗ୍ରୀ ରହିବ ବୋଲି ଆକଳନ କରାଯାଉଛି । ତେବେ ଦୁଇ ଦିନ ତଳେ ମାଲକାନଗିରି ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଥିଲା। ହେଲେ ମୌସୁମୀ ସକ୍ରିୟ ହେବାକୁ ପାଗ ଅନୁକୂଳ ନ ଥିବାରୁ ମାଲକାନଗିରିରେ ହିଁ ଅଟକି ରହିଯାଇଛି। କେବେ ମୌସୁମୀ ଆଗକୁ ବଢ଼ିବ ସେନେଇ ପାଣିପାଗ ବିଭାଗ ମଧ୍ୟ କୌଣସି ପ୍ରକାର ଆକଳନ କରିପାରି ନାହିଁ। ଅନ୍ୟପକ୍ଷେ ଏହି ଖରା ଗରମ ପାଇଁ ଅଂଶୁଘାତ ଭଳି ସମସ୍ୟା ଦେଖାଦେବା ଆଶଙ୍କାରେ ଏସଆରସିଙ୍କ ପକ୍ଷରୁ ରାଜ୍ୟବାସୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ପୂର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ୩ ଯାଏଁ ଶ୍ରମିକମାନଙ୍କୁ କାମ କରିବାକୁ ବାରଣ କରାଯିବା ସହ କାମ ନଥିଲେ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ତେବେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ତାପମାତ୍ରା ମଧ୍ୟକୌଣସି ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ଆକଳନ କରାଯାଉଥିବା ଜଣାପଡିଛି ।