Sunstar Tv
Onion Price Hike: ମାତ୍ର ୨ ସପ୍ତାହ ମଧ୍ୟରେ ଦେଶର ଅନେକ ସ୍ଥାନ ଗୁଡିକରେ ପିଆଜ ଦର ବଢିବାରେ ଲାଗିଛି ।
ଦେଶର ସବୁଠୁ ବଡ଼ ପିଆଜ ପାଇକାରୀ ବଜାର ମହାରାଷ୍ଟ୍ରରେ ଥିବା ଲାସାଲଗାଓଁ ମଣ୍ଡିରେ ପିଆଜର ପାଇକାରୀ ଦାମ୍ ମେ ୨୫ରେ ୧୭ ଟଙ୍କା ଥିବା ସମୟରେ ବର୍ତ୍ତମାନ ଏହା କେଜି ପିଛା ୨୬ ଟଙ୍କାରେ ପହଞ୍ଚିଛି ।
କହିବାକୁ ଗଲେ ଗତ ୨ ସପ୍ତାହରେ ପିଆଜ ଦାମ ୫୦ ପ୍ରତିଶତ ବଢିଛି । ଉନ୍ନତ ମାନର ପିଆଜର ଦାମ କେଜି ପିଛା ୩୦ ଟଙ୍କାରେ ବିକ୍ରି ହେଉଛି ।
ତେବେ ପିଆଜ ଦର ବୃଦ୍ଧିର ଭିଭିନ୍ନ କାରଣ ସବୁ ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଇଦ୍-ଉଲ୍-ଆଧା ଥିବା କାରଣରୁ ଦର ବୃଦ୍ଧି ପାଇଛି । ଅନ୍ୟପଟେ ବ୍ୟବସାୟୀମାନେ ଏହା ମଧ୍ୟ କହୁଛନ୍ତି ଯେ, ନୂଆ ଉତ୍ପାଦିତ ପିଆଜ ଆସିବା ବିଳମ୍ବ ହେବା କାରଣରୁ ଦାମ୍ ବଢ଼ିଛି ।
କେବଳ ସେତିକି ନୁହେଁ କିଛି ଅସାଧୁ ବ୍ୟବସାୟୀ ପିଆଜ ମହଜୁତ ରଖି ବଜାରରେ କୁତ୍ରିମ ଅଭାବ ସୃଷ୍ଟି କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେଣୁ ଚାହିଦା ପୂରଣ ମୁତାବକ ପିଆଜ ବଜାରକୁ ପହଞ୍ଚି ନପାରିବା କାରଣରୁ ଦର ବଢୁଥିବା ବ୍ୟବସାୟୀ କହିଛନ୍ତି ।
ପ୍ରତିବର୍ଷ ଜୁନ ମାସ ଆରମ୍ଭରୁ ଚାଷୀଙ୍କ ଉତ୍ପାଦିତ ନୂଆ ପିଆଜ ବଜାରରେ ବିକ୍ରି ହୋଇଥାଏ । କିନ୍ତୁ ଚଳିତଥର ପିଆଜ କମ ମାତ୍ରାରେ ଉତ୍ପାଦନ ହୋଇଥିବା କାରଣରୁ ଆଗକୁ ପିଆଜର ଦର ବଢିପାରେ ଭାବି ଚାଷୀ ଉତ୍ପାଦିତ ପିଆଜକୁ ବିକ୍ରି ନକରି ଷ୍ଟକ ରଖି ଦେଉଛନ୍ତି । କମ ଦରରେ ପିଆଜ ବିକ୍ରି କରିବାକୁ ଚାଷୀ କୃଣ୍ଠାବୋଧ କରୁଥିବା ଅଭିଯୋଗ ଆସିଛି…
କେବଳ ସେତିକି ନୁହେଁ, ପିଆଜ ରପ୍ତାନୀ ଉପରେ ଲଗାଯାଇଥିବା କଟକଣା କୋହଳ କରାଯିବା କାରଣରୁ ଶ୍ରୀଲଙ୍କା, ମାଲେସିଆ, ବାଂଲାଦେଶ ଓ ଅନ୍ୟାନ୍ୟ ଦେଶକୁ ପିଆଜ ରପ୍ତାନି ବୃଦ୍ଧି ପାଇଛି। ଏହା ମଧ୍ୟ ପିଆଜ ଦର ବୃଦ୍ଧିର କାରଣ ହୋଇପାରେ ବୋଲି ବ୍ୟବସାୟୀ କହିଛନ୍ତି ।
ଉଦ୍ୟାନ କୃଷି ଉତ୍ପାଦ ରପ୍ତାନି ସଂଘର ସଭାପତି ଅଜିତ ଶାହଙ୍କ କହିବା ଅନୁଯାୟୀ, ପ୍ରବଳ ଗୀଷ୍ମ ପ୍ରକୋପ ଏବଂ ଅଦିନିଆ ବର୍ଷା କାରଣରୁ କେବଳ ପିଆଜ ନୁହେଁ ଅନ୍ୟ ପରିବା ଦର ମଧ୍ୟ ବୃଦ୍ଧି ପାଇଛି ।
ସପ୍ତାହେ ମଧ୍ୟରେ ଆଳୁ, ଟମାଟୋ, ବାଇଗଣ, କୋବି ସମେତ ବିଭିନ୍ନ ପରିବା ଦର ପ୍ରାୟ ଦ୍ୱିଗୁଣିତ ହୋଇଛି । ଚାହିଦା ଅଧିକ ଆମଦାନୀ କମ କାରଣରୁ ଦର ଏପରି ବଢିଥିବା ସେ କହିଛନ୍ତି ।