Sunstar Tv
Oath Taking Ceremony: ଆଜି ଓଡ଼ିଶାରେ ନୂଆ ସରକାର। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ। ୨ ଜଣ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କେ.ଭି ସିଂହଦେଓ ଶପଥ ଗ୍ରହଣ କରିବେ। ଆଉ କିଛି ମନ୍ତ୍ରୀ ମଧ୍ୟ ଶପଥ ନେଇପାରନ୍ତି।
ଶପଥ ଗ୍ରହଣ ପାଇଁ ଭୁବନେଶ୍ବର ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ। ଅପରାହ୍ନ ୪ଟା ୫୫ରେ ହେବ ଶପଥଗ୍ରହଣ ସମାରୋହ।
ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜଭବନ ଯାଇ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ ମୋହନ ଏବଂ ଟିମ୍।
ଏହାପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଲେ ରାଜ୍ୟପାଳ। ତେବେ ଶପଥ ସାମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ମୋଦିଙ୍କ ପ୍ରଥମ ଓଡ଼ିଶା ଗସ୍ତ। ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦିନ ୨ ଟା ୧୦ ମିନିଟରେରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧା ରାଜଭବନ ଯିବେ। ଅପରାହ୍ନ ସାଢ଼େ ୪ଟାରେ ରାଜଭବନରୁ ବାହାରି ଜନତା ମଇଦାନ ଯିବେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଯେଭଳି କୌଣିସ ତ୍ରୁଟି ବିଚ୍ୟୁତି ନହୁଏ, ସେଥିପାଇଁ କାରକେଡ ରିହାରସେଲ କରିଛି କମିସନରେଟ୍ ପୋଲିସ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏସପିଜି ବ୍ୟତିତ ୫୯ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।
ଜଣେ ଆଇଜି, ୩ ଜଣ ଡିଆଇଜି, ୧୩ ଜଣ ଏସପି ଓ ଡିସିପି ରାଙ୍କ ଅଫିସର ନିୟୋଜିତ ହେବେ। ୧୮ ଜଣ ଅତିରିକ୍ତ ଏସ୍ପି, ୫୮ ଜଣ ଡ଼ିଏସପି, ୯୪ ଇନ୍ସପେକ୍ଟର ଓ ୩୧୨ ଜଣ ଏସଆଇ ଓ ଏଏସଆଇ, ୨୮ ଜଣ କମାଣ୍ଡଡେଣ୍ଟ୍ ସୁରକ୍ଷା ଦାୟିତ୍ୱରେ ରହିବେ।
ଶପଥ ସମାରୋହ ହେବାକୁ ଥିବା ଜନତା ମେଇଦାନକୁ ସିସିଟିଭି ନଜରରେ ରଖାଯାଇଛି।
ଭିଭିଆଇପିଙ୍କ ବିମାନବନ୍ଦରରେ ପହଞ୍ଚିବା ଠାରୁ ହୋଟେଲ୍ରେ ରହିବା, ଉତ୍ସବସ୍ଥଳକୁ ଯିବା ଏବଂ ବିମାନବନ୍ଦରକୁ ଫେରିବା ପର୍ଯ୍ୟନ୍ତ ସବୁଠି ପୋଲିସ ଛାଉଣୀ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଯେଭଳି ଟ୍ରାଫିକ୍ ସମସ୍ୟା ନ ହେବ ସେଥିପାଇଁ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ।
ଦିନ ୨ଟାରୁ ୭ଟା ପର୍ଯ୍ୟନ୍ତ ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡ଼ି ଚଳାଚଳ ମନା। ତମାମ କାର୍ଯ୍ୟକ୍ରମ ପାଇଁ ଜଣେ ଆଇଜି ଓ ୨ ଡିଆଇଜିଙ୍କୁ ଦାୟିତ୍ବ ଦିଆଯାଇଛି।
ଶପଥ ଗ୍ରହଣ ଉତ୍ସବରେ ରାଜ୍ୟର କୋଣ ଅନୁକୋଣରୁ ୩୫ ହଜାରରୁ ଅଧିକ ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏତେ ବଡ଼ ଆୟୋଜନ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି।