SunstarTV
ଖୋର୍ଦ୍ଧା ବିଧାନସଭାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ନିୟମିତ ଜାମିନ ପ୍ରଦାନ କରିଛନ୍ତି।
ପୋଲିଂ ବୁଥ୍ରେ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୂର୍ବରୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିଥିଲା । ଏବେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ୍ ମଞ୍ଜୁର କରିଛନ୍ତି ହାଇକୋର୍ଟ। ପ୍ରଶାନ୍ତଙ୍କ ଜାମିନ ଉପରେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ।
ସୂଚନାମୁତାବକ ଚଳିତ ନିର୍ବାଚନରେ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ବିଧାନସଭାରୁ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ଦିନ ସେ ବୋଲଗଡ ବ୍ଲକ୍ କାଉଁରିପାଟଣା ୧୧୪ ନମ୍ୱର ବୁଥ୍କୁ ଭୋଟ୍ ଦେବା ପାଇଁ ଯାଇଥିଲେ। ସେଠାରେ ସେ ଇଭିଏମ୍ ଭଙ୍ଗିଥିବା ଅଭିଯୋଗ ହୋଇଥିଲା। ବୁଥ୍ର ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ କ୍ରମେ ଗତ ମେ’ ୨୫ ତାରିଖ ବିଳମ୍ବିତ ରାତିରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ପୁଲିସ୍ ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଖୋର୍ଦ୍ଧା ଜେଲ୍କୁ ପଠାଇ ଦିଆଯାଇଥିଲା।
ସୂଚନାନୁସାରେ ଜେଲ୍ରେ ଥିବା ବେଳେ ମେ’ ୨୮ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ ପ୍ରଶାନ୍ତ ଜଗଦ୍ଦେବ। ତେଣୁ ମେ’ ୨୯ ତାରିଖ ଭୋରରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାର ମେଡିସିନ୍ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବ୍ଲଡ୍ ପ୍ରେସର ଓ ସୁଗାର ସ୍ତର ବଢ଼ି ଯାଇଥିଲା। ୧୧ ଦିନ ପରେ ଗତ ୯ ତାରିଖରେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା।
ଏହାପରେ ତାଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ ତିନି ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଦୁଇ ଜଣ ଜାମିନଦାର ଓ ପଚାଶ ହଜାର ଟଙ୍କା ଲେଖାଏଁ ବେଲ ବଣ୍ଡରେ ତାଙ୍କୁ ଗତ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଜାମିନ ଦେଇଥିଲେ କୋର୍ଟ।