SunstarTV
ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ୍)ର ସଭାପତି ପ୍ରେମ ସିଂହ ତମାଙ୍ଗ ସୋମବାର କ୍ରମାଗତ ଦ୍ବିତୀୟ ଥର ପାଇଁ ସିକିମ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସିକ୍କିମର ପାଲଜୋର ଷ୍ଟାଡିୟମ୍ରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା । ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ତମାଙ୍ଗ ଓ ତାଙ୍କ ମନ୍ତ୍ରୀ ପରିଷଦ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତମାଙ୍ଗଙ୍କ ସହ ନଅ ଜଣ ନିର୍ବାଚିତ ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପରେ ତମାଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, ସିକ୍କିମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ମୁଁ ପ୍ରେମ ସିଂ ତମାଙ୍ଗଙ୍କୁ ଏକ ସଫଳ କାର୍ଯ୍ୟକାଳ କାମନା କରୁଛି ଏବଂ ସିକ୍କିମର ଅଗ୍ରଗତି ପାଇଁ ତାଙ୍କ ସହ କାମ କରିବାକୁ ଆଶା କରୁଛି।
ଏପ୍ରିଲ ୧୯ରେ ସିକିମ୍ର ୩୨ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଏବଂ ଫଳାଫଳ ଜୁନ୍ ୨ ରେ ଆସିଥିଲା। ପ୍ରେମ ସିଂ ତମାଙ୍ଗଙ୍କ ନେତୃତ୍ୱରେ ଏସକେଏମ ରାଜ୍ୟର ୩୨ ଟି ସିଟ୍ ମଧ୍ୟରୁ ୩୧ ଟିରେ ଏକ ବିପୁଳ ବିଜୟ ହାସଲ କରିଛି।
ସୂଚନାମୁତାବକ ପ୍ରେମ ସିଂ ତମାଙ୍ଗ ୫ ଫେବୃଆରୀ ୧୯୬୮ ରେ ପଶ୍ଚିମ ସିକ୍କିମର ସିଙ୍ଗଲିଙ୍ଗ ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ କାଲୁ ସିଂ ତମାଙ୍ଗ ଏବଂ ମାତାଙ୍କ ନାମ ଧନ ମାୟା ତମାଙ୍ଗ। ତମାଙ୍ଗ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ, ୧୯୮୮ ରେ ଦାର୍ଜିଲିଂ ସରକାରୀ କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ରାଜନୀତିରେ ଯୋଗଦେବା ପୂର୍ବରୁ ତମାଙ୍ଗ ଜଣେ ସରକାରୀ ଶିକ୍ଷକ ଥିଲେ।
ତେବେ ଶିକ୍ଷକ ଭାବରେ କାର୍ଯ୍ୟ କରିବା ପରିବର୍ତ୍ତେ ସେ ସାମାଜିକ କାର୍ଯ୍ୟରେ ଅଧିକ ଆଗ୍ରହୀ ଥିଲେ। ଏହି କାରଣରୁ ସେ ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ (SDF) ର ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଆରମ୍ଭ କରି ଦଳର ସଦସ୍ୟ ହୋଇଥିଲେ। ଏହା ପରେ ସେ ସରକାରୀ ଚାକିରିରୁ ଇସ୍ତଫା ଦେଇ ଏସଡିଏଫର ସ୍ଥାୟୀ ସଦସ୍ୟ ହୋଇଥିଲେ।