Sunstar TV :
ଦୀର୍ଘ ଦିନର ଅପେକ୍ଷା ପରେ ଆଜି ଘୋଷଣା ହୋଇଛି ମୁଖ୍ୟମନ୍ତ୍ରୀଙ୍କ ନାଁ। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି ବିଜେପିର ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ । ମୋହନ ଚରଣ ମାଝୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ଏଥିସହିତ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ଏନେଇ ଦଳର ଦୁଇ ପର୍ଯ୍ୟବେକ୍ଷକ ଘୋଷଣା କରିଛନ୍ତି । ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାକୁ ନେଇ ବେଶ୍ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ଏବେ ନାମ ଘୋଷଣା ସରିବା ପରେ ଚର୍ଚ୍ଚାର ଅବସାନ ଘଟିଛି । ୨୦୨୪ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ମୀନା ମାଝୀଙ୍କୁ ପରାସ୍ତ କରିଥିଲେ । ମୋହନ ୮୭ ହଜାର ୮୧୫ ଖଣ୍ଡ ଭୋଟ ପାଇଥିବା ବେଳେ ମୀନା ୭୬ ହଜାର ୨୩୮ ଖଣ୍ଡ ଭୋଟ ପାଇଥିଲେ । ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏଥର ପାଟଣାଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବେଳେ ସେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସରୋଜ ମେହେରଙ୍କୁ ପରାସ୍ତ କରିଥିଲେ । କନକ ବର୍ଦ୍ଧନ ୯୩,୮୨୩ ଖଣ୍ଡ ଭୋଟ ପାଇଥିବା ବେଳେ ସରୋଜ ୯୨,୪୬୬ ଖଣ୍ଡ ଭୋଟ ପାଇଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଚଳିତ ନିର୍ବାଚନରେ ନିମାପଡ଼ା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଦିଲ୍ଲୀପ କୁମାର ନାୟକଙ୍କୁ ପରାସ୍ତ କରିଥିଲେ । ପ୍ରଭାତୀ ୯୫,୪୩୦ ଖଣ୍ଡ ଭୋଟ ପାଇଥିବା ବେଳେ ଦିଲ୍ଲୀପ ୯୦,୮୪୨ ଖଣ୍ଡ ଭୋଟ ପାଇଥିଲେ ।