SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ବାଚନରେ ବଦଳି ଯାଇଛି ଓଡିଶାର ରାଜନୀତି ଗଣିତ । ହେବି ୱେଟ ନେତାଙ୍କ ଗୋଟି ଚାଳନା ମାରିଛି ଫେଲ । ଫଳରେ ଓଡିଶାରେ ଶେଷ ହୋଇଛି ନବୀନ ଯୁଗ । ୨୪ ନିର୍ବାଚନରେ ୨୪ ବର୍ଷର ସରକାର ଭାଙ୍ଗିଛି । ଫଳରେ ଓଡିଶାରେ ଆରମ୍ଭ ହେବାକୁ ଯାଉଛି ବିଜେପି ସରକାର । ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଅପେକ୍ଷା କେବଳ ମୁଖ୍ୟମନ୍ତ୍ରୀ ନାଁ ଘୋଷଣାକୁ । । ଓଡିଶାରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ତା ଉପରେ ରହିଛି ସମସ୍ତଙ୍କ ନଜର । ଏହାରି ଭିତରେ ଓଡିଶାର ମୁଖ୍ୟମନ୍ତ୍ରୀ ଖବରକୁ ନେଇ ଆସିଛି ଏକ ବଡ ଅପଡେଟ୍ ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧୨ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏନେଇ ସମୟ ମଧ୍ୟ ଧାର୍ଯ୍ୟ ହୋଇଛି । ୧୨ ତାରିଖ ଦିନ ଅପରାହ୍ନ ୪ଟା ୪୫ରେ ଜନତା ମୈଦାନରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏହି ଶପଥପାଠ ସମାରୋହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେ ୧୨ ତରିଖ ଦିନ ୨ଟା୧୦ରେ ଭୁବନେଶ୍ୱର ଏୟାରପୋଟରେ ପହଞ୍ଚିବେ । ଏହପାରେ ସେ ରାଜଭବନ ଯାଇ ସେଠାରେ ୨ ଘଣ୍ଟା ରହିବାପରେ ଅପରାହ୍ନ ୪.୩୦ରେ ଜନତାମୈଦାନ ଯିବେ । ମୋଦିଙ୍କ ଓଡିଶା ଗସ୍ତ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠରେ ପାଖାପାଖି ୩୫ ହଜାରରୁ ଅଧିକ ଜନତା ଯୋଗ ଦେବେ ବୋଲି ଜଣାପଡିଛି ।ଏଥିପାଇଁ ଜନତା ମୈଦାନ ସୁରକ୍ଷାର ପ୍ରତିଟି ଦିଗ ଉପରେ କମିସନରେଟ୍ ନଜର ରଖିଛି। ସମ୍ପୂର୍ଣ୍ଣ ଜନତା ମୈଦାନକୁ ସିସିଟିଭି ନଜରରେ ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଭିଆଇପିଙ୍କ ବିମାନବନ୍ଦରରେ ପହଞ୍ଚିବା ଠାରୁ ହୋଟେଲରେ ରହିବା, ଉତ୍ସବସ୍ଥଳକୁ ଯିବା ଏବଂ ବିମାନବନ୍ଦରକୁ ଫେରିବା ପର୍ଯନ୍ତ ସବୁଠି ପୁଲିସ ଛାଉଣୀ କରାଯିବ। ଟ୍ରାଫିକରେ ସମସ୍ୟା ଦେଖାନଦେବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଖୋଦ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହ ପ୍ରତିଦିନ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଘନ ଘନ ବୈଠକ କରିବା ସହ ସୁରକ୍ଷା ଦିଗ ଉପରେ ଆଲୋଚନା କରୁଛନ୍ତି।
ଏହା ବ୍ୟତୀତ ପୋଲିସ ଭବନରେ ମାରାଥନ ମିଟିଂ ହେବା ସହ ଏତେ ବଡ ଆୟୋଜନ ପାଇଁ ସ୍ୱତନ୍ତ୍ରପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ଅଗ୍ନି ସମ ବିଭାଗ ଠାରୁ ଆରମ୍ଭ କରି ଟ୍ରାଫିକ ଏପରିକି ରାତ୍ରକାଳୀନ ପେଟ୍ରୋଲିକଂ , ଚେକିଂ ଏବଂ ବ୍ଲକିଂକୁ କଡାକଡି କରାଯାଇଛି । ତେବେ ଏତେସବୁ ପ୍ରସ୍ତୁତି ହେଉଥିବା ବେଳେ ଏଯାଏଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇନାହିଁ ।
ଅପର ପକ୍ଷେ ବିଜେପି ରାଜ୍ୟ ସଭାପତି କହିଛନ୍ତି ଯେ ଓଡିଶାର ଯିଏବି ମୁଖ୍ୟମନ୍ତ୍ରୀ ହେବେ ସେ ଓଡିଆ ଲୋକ ହିଁ ହେବେ । ତାଙ୍କ ଏହି ବୟାନ ପରେ ସାଝାରଣ ଜନତାଙ୍କ ମନରେ ଅନେକ ଦ୍ୱନ୍ଦ ସୃଷ୍ଟି ହୋଇଛି । ଏଥିସହିତ ସମସ୍ତେ ୧୨ ତାରିଖକୁ ଏବଂ ନୂଆ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।