Sunstar TV
ଭୁବନେଶ୍ୱର : ଦୁଇ ଦଶନ୍ଧି ପରେ ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ସରକାର ଗଠନ ପାଇ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ବିଭିନ୍ନ ନିଗମର ଜଣଙ୍କ ପରେ ଜଣେ ଅଧ୍ୟକ୍ଷ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେହିଭଳି ଭାବେ ଆଜି ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଚିନ୍ମୟ କୁମାର ସାହୁ। ଅପରାହ୍ନରେ ଲିଖିତ ଭାବେ ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ପ୍ରଦାନ କରିବା ସହ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ମଧ୍ୟ ଦେଇଛନ୍ତି ଚିନ୍ମୟ। ଚିନ୍ମୟଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟ ସରକାର କ୍ଷୁଦ୍ର ଶିଳ୍ପ ନିଗମକୁ ପ୍ରାଧାନ୍ୟ ଦେଇ ଆସିଥିବା ବେଳେ ସେହି ଧାରାରେ ନବୀନ ପଟ୍ଟନାୟକ ତାଙ୍କୁ ସାରଥୀ କରିଥିବାରୁ ନିଜକୁ କୃତଜ୍ଞ ମନେ କରିଛନ୍ତି ଚିନ୍ମୟ। ଅପର ପକ୍ଷରେ ଆଜି ନିଜ ପଦରୁ ଇସ୍ତଫା ଦେବା ସହ ଆଗାମୀଦିନରେ ଓଡ଼ିଶା ବାସୀଙ୍କ ପାଇଁ ସେବା କରିବାର ପ୍ରତିଶୃତି ଦେଇଛନ୍ତି ଚିନ୍ମୟ।
ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଓ ୨୦୧୯-୨୦ ବର୍ଷରେ ୧,୯୯,୮୨,୧୧୨ ଟଙ୍କା ଲାଭାଂଶ ବାବଦରେ ଦିଆ ଯାଇଥିବା ବେଳେ ୨୦୨୦-୨୧ ବର୍ଷରେ ୧,୧୭,୭୪,୧୬୨ ଟଙ୍କା ଓ ୨୦୨୧-୨୨ ବର୍ଷରେ ୧,୮୫,୧୦,୩୪୨ ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ଓ ଗତ ୨୦୧୯ ଅଗଷ୍ଟ ୨୧ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ଚିନ୍ମୟ କୁମାର ସାହୁ ଦାୟିତ୍ବ ଗ୍ରହଣ କରିଥିଲେ। କୋଭିଡ ସମୟରେ ରାଜ୍ୟର କୋଭିଡ୍ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କରିଥିଲା।