Sunstar TV
ଭୁବନେଶ୍ୱର : ଲୋକଙ୍କୁ ଝଟକା ଦେଲା ଖାଦ୍ୟ ଦର । ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ଅନେକ ମାତ୍ରାରେ ବୃଦ୍ଧି ପାଇଛି । ଚାଉଳ, ଡାଲି, ତେଲ, ଅଟା, ସୁଜି, ମଇଦା ଏଭଳି ଭିନ୍ନ ରାସନରେ କିଛି ଦିନ ଭିତରେ ଆଶାତୀତ ଦର ବୃଦ୍ଧି ପାଇଛି । ଚିନ୍ତାରେ ପଡିଲେଣି ଖାଉଟି । ଏହି ଦରବୃଦ୍ଧି ପାଇଁ ବ୍ୟବସାୟୀ ସଂଘ ଉତ୍ପାଦାନ ହ୍ରାସ ଓ କର୍ପୋରେଟ ସଂସ୍ଥାଙ୍କ ମନମୁଖୀ ଦର ନିୟନ୍ତ୍ରଣକୁ ଦାୟୀ କରିଛି ।
ସାରା ଦେଶ ଗଣତନ୍ତ୍ରର ମହାପର୍ବରେ ମୋହି ଯାଇଥିବାବେଳେ ଦରକୁ ଦେଖି ଚିନ୍ତାଗ୍ରସ୍ତ ଖାଉଟି । ମାତ୍ର ୧୫ ଦିନରେ ଚାଉଳ କୁଇଣ୍ଟାଲ ପ୍ରତି ୪୦୦ ଟଙ୍କା ବଢିଛି । ପୂର୍ବରୁ ୩୧ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ଚାଉଳର ମୂଲ୍ୟ ୩୫ଙ୍କୁ ବୃଦ୍ଧି ପାଇଛି । ସୋରିଷ ତେଲବି ୧୩୫ ଛୁଇଁଲାଣି । ଡାଲି ୧୭୦ ଟପିଲାଣି । ଅଟା, ସୁଜି ମଇଦା ଆଦି ସାମଗ୍ରୀ ୧୦ ରୁ ୧୫ ଦିନ ମଧ୍ୟରେ ୪ ରୁ ୫ ଟଙ୍କା ବଢିଚାଲିଛି । ଗୃହିଣୀ, ସାଧାରଣ ଖାଉଟି ସମେତ ଚାଳିଆ ହୋଟେଲ ମାଲିକ ବି ମୁଣ୍ଡରେ ହାତ ଦେଲେଣି । ସେପଟେ ରାଜ୍ୟ ବ୍ୟବସାୟୀ ସଂଘ ଅନୁଯାୟୀ ଖାଦ୍ୟାଥାଳି ଉପରେ ଏହି ମହଙ୍ଗା ମାଡର କାରଣ ବ୍ୟବସାୟୀ ସଂଘ ଉତ୍ପାଦାନ ହ୍ରାସ ଓ କର୍ପୋରେଟ ସଂସ୍ଥାଙ୍କ ମନମୁଖୀ ଦର ନିୟନ୍ତ୍ରଣ ବୋଲି କହିଥିବାବେଳେ ଏକଥା ମଧ୍ୟ କୁହାଯାଇଛି ଯେ, ମୋଟା ଚାଉଳ ବ୍ୟତୀତ ସରୁ ଚାଉଳ, ଗହମଜାତ ଉତ୍ପାଦ, ଡାଲି ଓ ତେଲ ଇତ୍ୟାଦି ପାଇଁ ଓଡିଶା ଅନ୍ୟ ଦେଶ ଓ ବିଦେଶ ଉପରେ ନିର୍ଭରଶୀଳ ।
ଅନ୍ୟପଟେ ଦେଖିବାକୁ ଗଲେ ସ୍ୱଳ୍ପ ବ୍ୟବସାୟ ନୂଆ କରି ଆରମ୍ଭ କରୁଥିବା କିଛି ବଡ କର୍ପୋରେଟ ହାଉସ ଅନେକ ଖାଦ୍ୟ ସାମଗ୍ରୀକୁ ହୋର୍ଡ଼ିଂ କରି ଦରବୃଦ୍ଧି କରିବାରେ ଲାଗିଛନ୍ତି । ଏନେଇ ସରକାର ଦରବୃଦ୍ଧିର ପ୍ରକୃତ କାରଣ ଖୋଜି ତାହାର ନିରାକନା ପାଇଁ ପଦକ୍ଷେପ ନେବା ଆବଶ୍ୟକ । ଅଥବାରାଜ୍ୟ ବ୍ୟବସାୟୀ ମହାସଂଘ, ହୁଏତ ଆଗକୁ ମହଂଗା ମାଡ ଆହୁରି ଜଟିଳ ହେବ ବୋଲି ଆଶଙ୍କା କରିଛି ।