SunstarTV
ଗତକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହାପରେ ଓଡିଶାରେ କିଏ ମୁଖ୍ୟମନ୍ତ୍ରୀ ହେବ ଏହାକୁ ନେଇ ଏଯାଏ କିଛି ସୂଚନା ମିଳୁନାହିଁ । ପ୍ରଥମେ ଶପଥ ଗ୍ରହଣ ପାଇଁ ୧୦ ତାରିଖ ସ୍ଥିର କରାଯାଇଥିବା ବେଳେ ଏହାକୁ ଘୁଞ୍ଚାଇ ୧୨ଜୁନ କରାଯାଇଛି । ନବୀନଙ୍କ ପରେ ଓଡ଼ିଶାରେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ତାକୁ ନେଇ ଏଯାବତ ସସପେନ୍ସ ହଟୁନି । ଏହା ଉପରୁ ଖୁବ୍ ଶୀଘ୍ର ପରଦା ହଟାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଓ ବରିଷ୍ଠ ବିଜେପି ନେତା ଭୁପେନ୍ଦ୍ର ଯାଦବଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରିଛି ବିଜେପି ସଂସଦୀୟ ବୋର୍ଡ।
ରାଜନାଥ ଓ ଭୁପେନ୍ଦ୍ର ଓଡ଼ିଶାରେ ପହଞ୍ଚିବା ପରେ ଆସନ୍ତାକାଲି ବିଧାୟକ ଦଳର ବୈଠକ ବସିବ। ଏହାପରେ ନୂଆ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ହେବ ବୋଲି ଜଣାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀ ରେସରେ ସୁରେଶ ପୂଜାରୀଙ୍କ ନାମ ଆଗରେ ରହିଥିବା ବେଳେ ଆଜି ସେ ଦିଲ୍ଲୀରୁ ଫେରିଛନ୍ତି। ବିଧାୟକ ସୁରେଶ ପୂଜାରୀ କହିଛନ୍ତି, ଦଳୀୟ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ। ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ। ପର୍ଯ୍ୟବେକ୍ଷକ ବିଧାୟକଙ୍କ ସହ ସେମାନେ ଆଲୋଚନା କରିବେ। ବିଧାୟକ ଦଳ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।
ସୂଚନାମୁତାବକ ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ସେଠାରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। କିଏ ହେବେ ବିଧାୟକ ଦଳ ନେତା ତଥା ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସେନେଇ ନାଁ ଚୂଡ଼ାନ୍ତ ହେବ।