SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ରାଜ୍ୟରେ ପ୍ରବଳ ଗରମ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ । କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି ଲୋକେ । କିନ୍ତୁ ରଜ ସମୟରେ ପ୍ରାକ୍ ମୌସୁମୀ ଅପେକ୍ଷାରେ ରହିଛନ୍ତି ଲୋକେ । ଗତ ୨୪ ଘଣ୍ଟା ମଧ୍ୟରରେ ମୟୂରଭଞ୍ଜର କପ୍ତିକଦାରେ ୫୭ ମିମି ବର୍ଷା ରେକର୍ଡ ହୋଇଛି । ଚାନ୍ଦୁଆରେ ବି ୩୭ ମିମି ବର୍ଷା ରେକର୍ଡ କରାଯାଇଛି । ଏହାଛଡ଼ା ରାୟଗଡ଼ାର କାଶୀପୁର, ଯାଜପୁରର କୋରେଇ ୨୯ ମିମି ବର୍ଷା ରେକର୍ଡ କରାଯାଇଛି ।
ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକର ପ୍ରଭାବ ନାହିଁ । ତେବେ ପଡ଼ୋଶୀ ରାଜ୍ୟର ପାଣିପାଗ ନିୟାମକ ଯୋଗୁଁ ରାଜ୍ୟରେ ମଧ୍ୟ ଏହାର ଆଂଶିକ ପ୍ରଭାବ ପଡ଼ିଛି । ଫଳରେ ଆଜି ୨୫ଟି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲାରେ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେବଳ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ଛାଡ଼ିଦେଲେ ବାକି ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।
ପଶ୍ଚିମ ଓଡ଼ିଶାର ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଅନୁଗୁଳରେ ଆଜି ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହି ସବୁ ଜିଲ୍ଲାରେ ବର୍ଷା ନେଇ କୌଣସି ସମ୍ଭାବନା ନଥିବା Xରେ ଟୁଇଟ୍ କରି ସୂଚନା ଦିଆଯାଇଛି ।ଏହାପରେ ଜୁନ୍ ୯ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଖୁବଶୀଘ୍ର ପ୍ରାକ୍ ମୌସୁମୀ ବର୍ଷାରେ ଭିଜିବେ ରାଜ୍ୟବାସୀ ।ତାପମାତ୍ରା କଥା କହିଲେ ଏବେ ଦୁଇ ତିନି ଦିନ ମଧ୍ୟରେ ତାପମାତ୍ରା ବିଶେଷ ଭାବରେ ଦୁଇରୁ ତିନି ଡିଗ୍ରୀ ବୃଦ୍ଧି ପାଇପାରେ । ଏହାପରେ ତାପମାତ୍ରା କମ୍ ହେବା ସହ ମୌସୁମୀର ଆଗମନ ନେଇ ପୂର୍ବାନୁମାନ କରାଯାଉଛି । ଏହାଛଡ଼ା ଜୁନ୍ ୧୦ ଓ ୧୧ ତାରିଖରେ ରାଜ୍ୟରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । ଏଣୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।