Sunstar TV
ଭୁବନେଶ୍ୱର : ବିଜେପି ସରକାର ଗଠନ କରିବାକୁ ବହୁମତ ପାଇସାରିଛି ସତ । ହେଲେ ତା ପାଇଁ ଏକ ଶକ୍ତିଶାଳୀ ବିରୋଧି ମଧ୍ୟ ବିଧାନ ସଭାରେ ସାମ୍ନା କରିବାକୁ ପ୍ରସ୍ତୁତ ହେଉଛି । ନୂଆ ସରକାର ଗଢ଼ିବାକୁ ଯାଉଥିବା ଏହି ଦଳର ୭୦ ପ୍ରତିଶତ ବିଧାୟକ ସମ୍ପୂର୍ଣ୍ଣ ନୂଆ। ଅର୍ଥାତ ୭୮ ବିଧାୟକଙ୍କ ମଧ୍ୟରୁ ୫୪ ଜଣ ପ୍ରଥମ ଥର ପାଇଁ ବିଧାନସଭାରେ ପ୍ରବେଶ କରିବେ। ସେମାନଙ୍କୁ ନେଇ ଦଳ ବିଧାନସଭାରେ ଏକ ଅଭିଜ୍ଞ ତଥା ଶକ୍ତିଶାଳୀ ବିରୋଧୀ ଦଳକୁ ସାମ୍ନା କରିବ । ବିଜେପିର ୨୪ ଜଣ ନବନିର୍ବାଚିତ ବିଧାୟକ ପୂର୍ବରୁ ବିଭିନ୍ନ ସମୟରେ ବିଧାନସଭାକୁ ନିର୍ବାଚିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଅନ୍ୟ ଦଳରୁ ନିର୍ବାଚିତ ହୋଇଥିଲେ। ଘଟଣାକ୍ରମେ ସେମାନେ ବିଜେପିରେ ମିଶି ପୁଣି ଏଥର ବିଧାୟକ ଭାବେ ଜିତିଛନ୍ତି । ତେବେ ପ୍ରଥମ ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ୫୪ ବିଧାୟକଙ୍କ ମଧ୍ୟରୁ ୨ ଜଣ ପୂର୍ବରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେମାନେ ହେଲେ ସୁରେଶ ପୂଜାରୀ ଥରେ ବିଜେପି ଟିକେଟରୁ ଆଉ ଜଣେ ଓ ସିଦ୍ଧାନ୍ତ ମହାପାତ୍ର, ବିଜେଡି ଟିକେଟରେ ଦୁଇ ଥର ଲୋକସଭାକୁ ପ୍ରତିନିଧିତ୍ବ କରିସାରିଛନ୍ତି ।
ବିଜେପିର ବହୁ ଜଣ ନବ ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ଅଧିକାଂଶ ଶାସକ ଦଳର ବହୁ ବରିଷ୍ଠ ନେତାଙ୍କ ପତା କାଟିଛନ୍ତି। ବର୍ତ୍ତମାନ କଥା ହେଲା ଏ ନୂଆ ନେତାଙ୍କ ସାଂଗଠନିକ ଦକ୍ଷତାକୁ ନେଇ ଦଳ କିପରି ଆଗକୁ ବଢ଼ୁଛି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି। ଯେହେତୁ ବିଜେପି ରାଜ୍ୟରେ ସରକାରକୁ ଆସିଛି, ତେଣୁ ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କ ଆଶାବି ବଢିଛି। ଏହି ନୂଆ ବିଧାୟକମାନେ କିପରି ନିଜ ଅଞ୍ଚଳରେ କାମ କରୁଛନ୍ତି ଓ କିପରି ବିଧାନସଭାରେ ପ୍ରଦର୍ଶନ କରୁଛନ୍ତି, ତାହା ଆଗାମୀ ଦିନରେ ଜଣାପଡ଼ିବ। ଏହି ବିଧାୟକଙ୍କ ପ୍ରଦର୍ଶନ ଉପରେ ରାଜ୍ୟରେ ଦଳର ଭବିଷ୍ୟତ ନିର୍ଭର କରୁଛି। ଗତ ଥର ୧୦ଟି ସଂସଦୀୟ କ୍ଷେତ୍ରରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକରେ ବିଜେପି ଆଦୌ ଖାତା ଖୋଲିପାରି ନଥିଲା। ସେଗୁଡ଼ିକ ହେଲା କୋରାପୁଟ, ଆସ୍କା, କନ୍ଧମାଳ, ବରଗଡ଼, ଢେଙ୍କାନାଳ, କଟକ, ଭୁବନେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର। କିନ୍ତୁ ଏଥର ସବୁ ସଂସଦୀୟ କ୍ଷେତ୍ରରେ ବିଜେପି ତା’ର ଉପସ୍ଥିତି ଜାହିର କରିଛି। ଉପକୂଳର ବିଜେଡି ଗଡ଼ରେ ବିଜେପି ଧସେଇ ପଶିଛି। ବିଜେପି ହାରିଥିବା ନିର୍ବାଚନମଣ୍ଡଳୀରେ ମଧ୍ୟ ଶାସକ ଦଳର ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଛି। ଏବେ ଦେଖିବାକୁ ବାକି ରହିଲା ଏ ସୁଯୋଗକୁ ବିଜେପି କେମିତି କାମରେ ଲଗାଉଛି. ଆଉ ଶକ୍ତି ଶାଳୀ ବିରୋଧିଙ୍କୁ କେମିତି ସାମ୍ନା କରୁଛି ।